ଉତ୍ତରାଖଣ୍ଡ: ଟଳିଲା ବଡ ବିପଦ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ ହେଲିକପ୍ଟରଟି କେଦାରନାଥ ଜାତୀୟ ରାଜପଥର ବଡାସୁ ନିକଟରେ ଜରୁରୀକାଳୀନ ଅବତରଣ କରିଛି । ଆଜି କେଦାରନାଥ ପାଇଁ ହେଲିକପ୍ଟରଟି ବଡାସୁ ହେଲିପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲା। ଏହି ହେଲିକପ୍ଟରରେ ପାଇଲଟଙ୍କ ସମେତ ୬ଜଣ ଥିଲେ ଓ ସମସ୍ତେ ଅଳ୍ପକେ ରକ୍ଷା ପାଇଛନ୍ତି ।
ହେଲିକପ୍ଟରଟି ତୀର୍ଥଯାତ୍ରୀମାନଙ୍କୁ କେଦାରନାଥ ଧାମକୁ ନେଇ ଯାଉଥିଲା, କିନ୍ତୁ ରାସ୍ତାରେ ଏକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ପାଇଲଟ୍ ଉପସ୍ଥିତ ବୁଦ୍ଧି ଦେଖାଇ ବଡାସୁ ନିକଟରେ ଏକ ସୁରକ୍ଷିତ ରାସ୍ତାରେ ହେଲିକପ୍ଟରକୁ ଅବତରଣ କରାଇଥିଲେ। ସୂଚନା ପାଇବା ମାତ୍ରେ ବିପର୍ଯ୍ୟୟ ସହାୟତା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।
ଦୁର୍ଘଟଣାରେ ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ହେଲିକପ୍ଟରଟି କ୍ରିଷ୍ଟାଲ୍ ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡର ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ଏକ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ହେଲିକପ୍ଟର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା।
ସୂଚନାଥାଉକି, ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଚାଲିଛି । ଭକ୍ତମାନେ ସହଜରେ କେଦାରନାଥ ଧାମରେ ପହଞ୍ଚିବା ପାଇଁ ହେଲିକପ୍ଟର ମାଧ୍ୟମରେ ଯାତ୍ରା କରୁଛନ୍ତି । ଗତ ମାସରେ ମଧ୍ୟ କେଦାରନାଥ ଧାମରେ ଅବତରଣ କରିବା ସମୟରେ ଏକ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲି ଆମ୍ବୁଲାନ୍ସଟି ଋଷିକେଶ ଏମ୍ସର ଥିଲା, ଯାହା ଋଷିକେଶରୁ କେଦାରନାଥ ଯାଉଥିଲା।
Comments are closed.