Latest Odisha News

ବାତ୍ୟା ମୁକାବିଲା ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରୁରୀ ବୈଠକ

ଗୁଣୁପୁର : ଗଭୀର ଅବପାତର ରୂପ ନେଇଛି ଲଘୁଚାପ । ଧିରେ ଧିରେ ଉପକୂଳ ମୁହାଁ ହୋଇ ମାଡି ଆସୁଛି ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଜରୁରୀ ବୈଠକ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ । ଗୁଣୁପୁର, ରମନଗୁଡ। ବିଡିଓ ଓ ତହସିଲଦାରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ହେବ । ଏହାର ମୁକାବିଲା ପାଇଁ ଜରୁରୀ ବୈଠକ ଡାକି ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି କେହି ଛୁଟିରେ ରହିପାରିବେ ନାହିଁ । ଛୁଟିରେ ଯାଇଥିଲେ ତୁରନ୍ତୁ ଆସିବାକୁ କୁହାଯାଇଛି । ବାତ୍ୟା ସମୟରେ ଯେପରି କାହାର କୌଣସି କ୍ଷତି ନହେବ ସେଥିପାଇଁ ସତକର୍ତା ଅବଲମ୍ବନ କରିବାକୁ କୁହାଯାଇଛି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯାଇ କାର୍ଯ୍ୟକାରୀ କରାଯିବ । ନିୟନ୍ତ୍ରଣ କକ୍ଷରେ ଆବଶ୍ୟକ ପଡ଼ିଲେ ଜଣେ ଗେଜେଟେଡ଼ ଅଫିସରଙ୍କୁ ନିୟୋଜିତ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ତଳିଆଞ୍ଚଳ ଚିହ୍ନଟ କରି ଜନସାଧାରଣଙ୍କୁ ସଚେତନ କରାଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ବିଶେଷ କରି ଗୁଡାlରି ଓ ଗୁଣପୁରର ତଳିଆ ଅଞ୍ଚଳ ପ୍ରତି ନଜର ରଖିବାକୁ କୁହାଯାଇଛି । ବଡ଼ନାଲା ଓ ହରଭଙ୍ଗି ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ରଖାଯାଇଛି । ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୃଷି, ଉଦ୍ୟାନ କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମ୍ବନ କରିବାକୁ କୁହାଯାଇଛି ।

Comments are closed.