Latest Odisha News

BREAKING NEWS

ଭଞ୍ଜକଳା ମଣ୍ଡପରେ ଟଳି ପଡିଲେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନଙ୍କ ପରଲୋକରେ ରାଜଧାନୀ ଭୁବନେଶ୍ୱର ସ୍ତବ୍ଧ ହୋଇଯାଇଛି। ତିନି ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ମଞ୍ଚ ଉପରେ ହୃଦୟ ବିଦାରକ ଘଟଣା ଘଟିଛି। ତେଣୁ ହୃଦଘାତରୁ ଏହି ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁଙ୍କର ବିୟୋଗ ଘଟିଥିବା କୁହାଯାଉଛି।

ଶୁକ୍ରବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହ ଭାବେ ପାଳନ କରାଯିବାର ଥିଲା, ଯେଉଁଥିରେ ଗଣେଶନ ପ୍ରଦୀପ ପ୍ରଜ୍ଜଳନ ପାଇଁ ମଞ୍ଚରେ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ସହିତ ଯୋଗ ଦେଇଥିଲେ। ତେବେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସେ ହଠାତ୍ ତଳେ ପଡ଼ିଯିବାରୁ ସମଗ୍ର ସଭାସ୍ଥଳରେ ଭୟର ବାତାବରଣ ଖେଳି ଯାଇଥିଲା।

ସାଥୀ ନୃତ୍ୟଶିଳ୍ପୀମାନେ ତୁରନ୍ତ ଗଣେଶନଙ୍କୁ ସହାୟତା ପାଇଁ ଧାଇଁ ଆସିଥିଲେ। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଗଣେଶନଙ୍କ ମୃତ୍ୟୁ ଘଟିଥିଲା । କୁହାଯାଉଛି ମଞ୍ଚରେ ଟଳି ପଡିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ଆୟୋଜକ ଜଗବନ୍ଧୁ ଜେନା ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ଜୟଦେବ ସମାରୋହର ଶେଷ ସନ୍ଧ୍ୟା ଥିଲା। ଏହି କାର୍ଯ୍ୟକ୍ରମରେ ମାଲେସିଆର ବିଶିଷ୍ଟ ଭାରତନାଟ୍ୟମ୍ ଗୁରୁ ଶ୍ରୀ ଗଣେଶନ୍ ଆସିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପାଇଁ ମଞ୍ଚକୁ ଆସିଥିଲେ, ଆଉ ମୁଖ୍ୟ ମଞ୍ଚରେ ଥିବା ବେଳେ ସେ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆୟାଇଥିଲା।

ଗୁରୁ ଶ୍ରୀ ଗଣେଶନଙ୍କ ଅକାଳ ବିୟୋଗରେ ନୃତ୍ୟାଙ୍ଗନା ମହଲରେ ଶୋକର ଛାୟା ଖେଳିଯାଇଛି। ଭରତନାଟ୍ୟମ୍ କଳାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ଏବଂ ତାଙ୍କର କ୍ଷତିକୁ ତାଙ୍କ ଛାତ୍ରଛାତ୍ରୀ, ସହକର୍ମୀ ଏବଂ ବିଶ୍ୱବ୍ୟାପୀ ପ୍ରଶଂସକମାନେ ଗଭୀର ଭାବେ ଅନୁଭବ କରିବେ।

Comments are closed.