Latest Odisha News

BREAKING NEWS

ଓଡ଼ିଶାର ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ। ସୋମବାର ସକାଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛଇ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

ନିଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହୃଦଘାତ ଯୋଗୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଅଗ୍ରଣୀ ଓଡିଆ ଦୈନିକ ଖବରକାଗଜ ‘ସମ୍ବାଦ’ରେ ପ୍ରକାଶିତ କାର୍ଟୁନ୍ ସ୍ତମ୍ଭ‘ କଟାକ୍ଷ ’ପାଇଁ ଶ୍ରୀ ରଥ ଓଡିଶାରେ ଘରେ ଘରେ ପରିଚିତ ଥିଲେ।

୧୯୬୩ ମସିହାରେ ଜନ୍ମ ହୋଇଥିବା ଶ୍ରୀ ରଥ ଅଶୀ ଦଶକର ଶେଷ ଭାଗରୁ ‘ସମ୍ବାଦ’ ପାଇଁ କାମ କରୁଥିଲେ। ସେ ଖଲିକୋଟ ଆର୍ଟ କଲେଜରୁ ଫାଇନ୍‌ ଆର୍ଟରେ ସ୍ନାତକ କରିଥିଲେ।

ସମ୍ୱାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୋମ୍ୟ ରଂଜନ ପଟ୍ଟନାୟକ ଶ୍ରୀ ରଥଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମବେଦନା ଜଣାଇ ଟୁଇଟ୍ କରି କହିଛନ୍ତି, ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ଦୁଃଖିତ। କାର୍ଟୁନ୍ ମାଧ୍ୟମରେ ସମାଜର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବାର ଅନନ୍ୟ ଶୈଳୀ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ”

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ରଥଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି।

Comments are closed.