Latest Odisha News

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ବାଣ୍ଟିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣାସ୍ଥିତ ଓୟୁଏଟି ପଡ଼ିଆରେ ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡିରେ ଗତ କିଛି ଦିନ ଧରି ରାଜନୀତି ଉଷ୍ମତା ଦେଖାଦେଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ୨୫ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ। ସେଠାରୁ ହେଲିକେପ୍ଟର ଯୋଗେ ଭବାନୀପାଟଣା ଓୟୁଏଟି ପରିସରକୁ ଯିବେ। ଦିନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ପହଞ୍ଚି ସାଢ଼େ ୧୧ଟାରେ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ୨୫୦ଜଣ ମହିଳା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତବେଳେ ବିଜେଡ଼ିର ସ୍ୱାଗତ ଶୋଭାଯାତ୍ରା ରହିଛି। ବସଷ୍ଟାଣ୍ଡରୁ ଓୟୁଏଟି ପଡ଼ିଆ ଯାଏଁ ସ୍ୱାଗତ ଶୋଭାଯାତ୍ରା କରାଯିବ। ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ୧ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଡ଼ାକରା ଦେଇଛି। ଏପଟେ ବିଜେପି ବି ସାମାଜିକ ବାସନ୍ଦ କରିବାକୁ ଆହ୍ୱାନ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ବିରୋଧ କରିବା ଆଶଙ୍କାରେ ଏହା ପୂର୍ବରୁ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀମାନଙ୍କୁ ପୋଲିସ ଅଟକ ରଖିଛି।

Leave A Reply

Your email address will not be published.