Latest Odisha News

BREAKING NEWS

ପରପାରିରେ ସାହିତ୍ୟିକା ନିର୍ମଳପ୍ରଭା ନାୟକ

ଭୁବନେଶ୍ୱର : ଚିର ନିଦ୍ରାରେ ବିଶିଷ୍ଟ ସାହିତ୍ୟିକା ନିର୍ମଳପ୍ରଭା ନାୟକ। କିଛିଦିନ ଧରି ସେ ବାଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତା ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସାୟାହ୍ନର ସ୍ମୃତି, ନାରଦ ଭକ୍ତି ଦର୍ଶନ ଆଦି ପୁସ୍ତକ ରଚନା କରି ଜଣେ ସୁପରିଚିତ ସାରସ୍ୱତ ସାଧିକା ଭାବରେ ପାଠକ ମହଲରେ ବହୁଳ ଭାବରେ ଆଦୃତ ହୋଇଥିଲେ । ‘ସାୟାହ୍ନର ସ୍ମୃତି’ ପୁସ୍ତକ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପୁସ୍ତକର ଜନାଦୃତି ସହ ଏହା ଇଂରାଜୀ ଭାଷାରେ ‘ଟୁଇଲାଇଟ୍‍ ମେମୋରିଜ୍‍’ ଶୀର୍ଷକରେ ଅନୂଦିତ ହୋଇ ବେଶ୍‍ ଚର୍ଚ୍ଚିତ ହୋଇଛି ।

 

ସ୍ବର୍ଗତ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ନିଜର ପ୍ରବଳ ଇଚ୍ଛାଶକ୍ତି ବଳରେ ବିବାହ ପରେ ପାଠପଢି ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ଅସୁରେଶ୍ୱର ଗୋରକ୍ଷଣୀ ସହିତ ସେ ଜଡିତ ଥିଲେ । ସେଠାରେ ଅର୍କମଣ୍ୟ ଗୋମାତାମାନଙ୍କ ସେବାରେ ନିଜ ପେନ୍‍ସନ ପଇସା ସମ୍ପୂର୍ଣ୍ଣ ଭାବେ ବ୍ୟୟ କରୁଥିଲେ । ଏପରିକି ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରାପ୍ତ ଅର୍ଥକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଦେଇଥିଲେ। ଏହା ଛଡ଼ା ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ସମାଜ ସେବା ସହ ଜଡ଼ିତ ହୋଇ ରହିଥିଲେ ।

ସର୍ବୋଦୟ ନେତ୍ରୀ ମା ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ । ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ସେ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.