Latest Odisha News

BREAKING NEWS

ପୋଲିସ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି ଯେ ଆଜି ସଂଧ୍ୟାରେ ଓଡ଼ିଶା ପୁଲିସର ଏସଓଜି ଓ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) କମ୍ବିଂ ଅପରେସନ ଚଳାଉଥିବା ବେଳେ ମାଓବାଦୀମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ । ପୁଲିସ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । ଏହି ଗୁଳି ବିନିମୟରେ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଥିବାବେଳେ ଅନ୍ୟଜଣକ ମହିଳା କ୍ୟାଡର ମାଓବାଦୀ ବୋଲି ଜଣାପଡ଼ିଛି ।

ଘଟଣାସ୍ଥରୁ ସେମାନଙ୍କ ମୃତଦେହ ଜବତ ହୋଇଛି । ସେମାନଙ୍କ ନିକଟରୁ ଗୋଟିଏ ଇନସାସ, ଗୋଟିଏ କାର୍ବାଇନ ଓ ୨ଟି ଦେଶୀ ମାରଣାସ୍ତ୍ର ଜବତ ହୋଇଛି । ତେବେ ଏହି ଏନକାଉଣ୍ଟରରେ ଓଡ଼ିଶା ପୁଲିସର କୌଣସି କ୍ଷତି ହୋଇନାହିଁ ବୋଲି ସେ ଲେଖିଛନ୍ତି । ପୁଲିସ ମହାନିର୍ଦ୍ଦେଶକ ଅଭୟ ଏହି ଅବସରରେ ମାଓବାଦୀଙ୍କୁ ପୁଣି ଥରେ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.