Latest Odisha News

BREAKING NEWS

କରୋନା ଓ ପ୍ରକୃତି ପୂଜା

ଏ ସୁନ୍ଦର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର । ଯେଉଁ ଈଶ୍ୱର ଏ ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପ୍ରଶସ୍ତ ପୃଥିବୀ, ଉପକାରରେ ଆସୁଥିବା ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ
ଆଦି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ସେଇ ସର୍ବ ଶକ୍ତିମାନ ଈଶ୍ୱରଙ୍କୁ କେବଳ ଭଜନ କୀର୍ତନ କରି ଆରାଧନା କଲେ ଯେ ସେ ସନ୍ତୁଷ୍ଟ ହେବେ ତା ନୁହେଁ, ଅପରନ୍ତୁ ତାଙ୍କ ଦ୍ୱାରା ସୃଷ୍ଟ ସୃଷ୍ଟିର ଉଚିତ୍ ରକ୍ଷଣାବେକ୍ଷଣ
କଲେ ହିଁ ସେ ବାସ୍ତବିକ ଖୁସି ହେବେ । ଆମେ ପ୍ରକୃତିର ଏ ତତ୍ୱକୁ ଆଜି ପର୍ଯ୍ୟନ୍ତ ବି ହୃଦୟଙ୍ଗମ କରିପାରିଲୁ ନାହିଁ । ବଣ ଜଙ୍ଗଲ ନଷ୍ଟ କଲୁ, ବାୟୁ ମଣ୍ଡଳକୁ ବିଷାକ୍ତ କଲୁ, ଜଳକୁ ଅବାରିତ ଭାବେ ପ୍ରଦୂଷିତ କଲୁ,
ତେଣେ ମଠ, ମନ୍ଦିର ବା ଠାକୁର ଘରେ ଘଂଟା ଘଂଟା ଧରି ଘଂଟି ବଜାଇ କୀର୍ତନ କରୁଛୁ । ଚର୍ଚ୍ଚ, ମସଜିଦ୍‌ରେ ମୁଣ୍ଡ ଗଡ଼ାଉଛୁ । ହେଲେ ଫଳ?

ଏବେ ଦେଖନ୍ତୁ କରୋନା ପରିପ୍ରେକ୍ଷୀରେ ମଠ, ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଆଉ ମସଜିଦ୍‌ମାନଙ୍କର ଚିତ୍ରକୁୂ । ଯେଉଁଠିକୁ ଯାଇ ଯେଉଁ ସର୍ବଶକ୍ତିମାନମାନଙ୍କ ଆଗରେ ଏଇ ମଣିଷ ନିଜ ନିଜର ଦୁଃଖ ଜଣାଉଥିଲା, ସେ ସ୍ଥାନ ଆଜି ନିର୍ଜନ । ମୁଖ୍ୟ ଫାଟକରେ ପଡ଼ିଛି ତାଲା । ସେଠାରେ ପୂଜିତ ଈଶ୍ୱର ଆଜି ଚୁପ୍ । କାହିଁକି ? ଦିନକୁ ଦିନ ଛତୁ ଫୁଟିବା ଭଳି ପ୍ରତି ଗାଁ ଛକ ଓ ବଜାର ମାନଙ୍କରେ ଗଢ଼ି ଉଠୁଥିବା ଉପାସନାସ୍ଥଳୀ ଏବଂ ସେଠାରେ ଉପାସ୍ୟ ଦେବତା କାହିଁକି ଆଜି ନୀରବ ଓ ନିସ୍ତବ୍ଧ?? ଏହାର କାରଣ ଗୋଟିଏ । ଆମେ ପ୍ରକୃତି ପୂଜାକୁ ଛାଡି
ପ୍ରକାର ପୂଜାରେ ମାତିଲେ । ପ୍ରକାର ପୂଜା ହେଉ, କିନ୍ତୁ ପ୍ରକୃତିର ଉପାସନାରୁ ମଣିଷ ଦୂରେଇ ନଯାଉ । ପ୍ରକୃତି ରହିଲେ ସିନା ମଣିଷ ବଂଚିବ ପୃଥିବୀ ଉପରେ । ଖାସ୍ ସେଇଥି ପାଇଁ ବୈଦିକ ସଭ୍ୟତାର ମଣିଷ
ପ୍ରକୃତି ପୂଜା ଉପରେ ଗୁରୁତ୍ୱ ଦେଉଥିଲା ।

ଜଳକୁ ଆରତୀ କରାଯାଉଥିଲା, ଭୂମି କୁ ପୂଜା କରାଯାଉଥିଲା, ଚନ୍ଦ୍ର ଆଉ ସୂର୍ଯ୍ୟଙ୍କୁ ନମସ୍କାର କରାଯାଉଥିଲା, ଗଛଲତାଙ୍କୁ ବିଭିନ୍ନ ଦେବାଦେବୀଙ୍କ ଆଧାରଶୀଳା ମନେକରି ନମନ କରାଯାଉଥିଲା । ସୃଷ୍ଟି ଆରମ୍ଭର ମଣିଷ ସାମାନ୍ୟ ଜ୍ଞାନପ୍ରାପ୍ତ ହେବାପରେ ସେ ବି ପ୍ରକୃତି ପୂଜାରେ ମଗ୍ନ ରହୁଥିଲା । ବାର ବାର ପ୍ରଣାମ ଜଣାଉଥିଲା ଆକାଶ, ପାଣି, ପବନ, ଚନ୍ଦ୍ର, ସୂର୍ଯ୍ୟ ଆଉ ଗଛଲତାମାନଙ୍କୁ । ସମୟ ସହ ତାଳ ଦେଇ ସୃଷ୍ଟି ଆଗେଇ ଚାଲିଲା ଆଗକୁ ଆଗକୁ । କିନ୍ତୁ ପଛରେ ରହିଗଲା ମଣିଷର ଚିନ୍ତା ଆଉ ଚେତନାର କ୍ରମୋନ୍ନତି କ୍ରିୟା । ବ୍ୟକ୍ତିଗତ ସ୍ୱାର୍ଥ ଆଗରେ ବିଭ୍ରଷ୍ଟ ହୋଇଗଲା ତା’ର ବୋଧ ଆଉ ବିଚାରର ଭଣ୍ଡାର । ପ୍ରକୃତିକୁ ଛାଡି ସେ ଧରିଲା ନିଜସ୍ୱ ପରିକଳ୍ପିତ ଦେବତାମାନଙ୍କୁ । ଧୂପ, ଦ୍ୱୀପ, ଫୁଲ, ଚନ୍ଦନ, ଭୋଗ ନୈବେଦ୍ୟ ଦେଇ ଆରାଧନା କଲା ତଥାକଥିତ କଳ୍ପିତ ଈଶ୍ୱରମାନଙ୍କୁ । ଏଥିରେ ବି କିଛି ଅସୁବିଧା ନଥିଲା । ମାନସିକ ଶାନ୍ତି ନିମନ୍ତେ ଭାବନାତ୍ମକ ଆବେଗର ହୁଏତ ଏହା ଏକ ଭିନ୍ନ ପରିପ୍ରକାଶ ହୋଇପାରେ, କିନ୍ତୁ ଅସଲରେ ପୂଜା ପରମ୍ପରାଟି ପ୍ରବର୍ତନ ହେବା ପଛରେ ଯେଉଁ ମୁଖ୍ୟ ଉଦ୍ଦେଶ୍ୟଟି ନିହିତ ଥିଲା, ତା’ଠାରୁ ଢ଼େର ଅପହଂଚ ଦୂରତାରେ ରହିଗଲା ଏ ମଣିଷ ।

‘ପୂଜା’ ଶବ୍ଦଟି ‘ପୂଜ୍‌’ ଧାତୁରୁ ଆସିଛି । ଯାହାର ଅର୍ଥ ହେଉଛି ସମ୍ବର୍ଦ୍ଧନା କରିବା । ଯେଉଁ ଦେବତାଙ୍କୁ ପୂଜା କରୁଛେ ତାଙ୍କର ଦିବ୍ୟ ଗୁଣ ଏବଂ ଦିବ୍ୟ କର୍ମକୁ ଯଥା ସମ୍ଭବ ନିଜ ବ୍ୟକ୍ତିଗତ ଚରିତ୍ରରେ ଚିତ୍ରିତ କରିବା
ହେଉଛି ପୂଜାର ମୂଳ ଊଦ୍ଦେଶ୍ୟ । ଏ ଧାରଣା କିନ୍ତୁ ଆଜି ସୁଦୂର ପରାହତ । ଆମେ ହନୁମାନଙ୍କୁ ପୂଜା କରୁଛୁ, କିନ୍ତୁ ପର ଝିଅ, ବୋହୂଙ୍କୁ କୁ ନଜରରେ ଦେଖୁଛୁ । ରାମଙ୍କ ଆରାଧନା କରୁଛୁ, କିନ୍ତୁ ରାମଙ୍କ ଆଦର୍ଶ ଭାତୃ ପ୍ରେମଠାରୁ ଦୂରେଇ ଯାଇ ସାମାନ୍ୟ ଦୁଇ ହାତ ଜାଗା ନିମନ୍ତେ ଭାଇମାନଙ୍କ ସହ କେଶ୍ କରି କୋର୍ଟରେ ହାଜିରା ପକାଉଛୁ ।

ସୀତା, ସାବିତ୍ରୀଙ୍କୁ ପୂଜା କରୁଛୁ । ସେମାନଙ୍କ ପବିତ୍ରତା, ସତୀତ୍ୱ ତଥା ପରାକାଷ୍ଠାକୁ ଗ୍ରହଣ କରିବା ପାଇଁ ନାରାଜ । ଶ୍ରୀକୃଷ୍ଣଙ୍କ ଭକ୍ତିରେ ଦୁଇ ହାତ ଉପରକୁ ଟେକି କୀର୍ତନ କରୁଛୁ, କିନ୍ତୁ ତାଙ୍କ ଦ୍ୱାରା ପ୍ରଦତ ଭାବଧାରାକୁ ପଛରେ ପକାଇ ଦେଉଛୁ । ଗୁରୁଙ୍କୁ ପୂଜା କରୁଛୁ, କିନ୍ତୁ ତାଙ୍କ କଥାକୁ ଅମାନ୍ୟ କରୁଛୁ । ଏ କି ପୂଜାରେ ବାବା!

ପ୍ରତିବର୍ଷ ପରମ୍ପରା ମୁତାବକ ପୂଜିତ ହୋଇ ଆସୁଥିବା ଇନ୍ଦ୍ରଙ୍କ ପୂଜା ପାଇଁ ପ୍ରସ୍ତୁତ ହେଉଥିବା ଗୋପୀ, ଗୋପାଳଙ୍କୁ ଦ୍ୱାପର ଯୁଗର ବାଳକୃଷ୍ଣ ସେମାନଙ୍କୁ ପ୍ରବୋଧାଇଥିଲେ ଗିରି ଗୋବର୍ଦ୍ଧନଙ୍କ ପୂଜା କରିବାକୁ । ବନବାସ ନିମନ୍ତେ ଅଯୋଧ୍ୟାରୁ ପ୍ରସ୍ଥାନ କରୁଥିବା ପ୍ରଭୂ ଶ୍ରୀରାମ ସଙ୍ଗରେ ନେଇଯାଇଥିଲେ ଅଯୋଧ୍ୟାର ପବିତ୍ର ମାଟିରୁ କିଛି । ଆଉ ବନବାସ ଜୀବନର ପ୍ରତିଟି ସୂର୍ଯ୍ୟୋଦୟରେ ‘ଜନନୀ ଜନ୍ମ ଭୂମିଶ୍ଚ…’ ମନ୍ତ୍ର ସ୍ମରଣ କରି ମା’ ମାଟିକୁ ପୂଜା କରୁଥିଲେ । ସେଠାରେ ନଥିଲା କେଉଁ ଦେବାଦେବୀଙ୍କ ଫଟୋ ବା ମୂର୍ତି । ଥିଲା କେବଳ ପ୍ରକୃତିର ଅନବଦ୍ୟ
ଅଙ୍ଗ ମାଟିର ପିଣ୍ଡୁଳାଟିଏ ; ଖାସ୍ କରି ମଣିଷ ମନରେ ପ୍ରକୃତି ପୂଜାର ସ୍ପଷ୍ଟ ଝଲକ ଦେଖାଇ ଦେବାର ଏକ ନିଚ୍ଛକ ପ୍ରୟାସର ପ୍ରଦର୍ଶନ ।

କେବଳ ସେତିକି ନୁହେଁ, ଶ୍ରୀରାମଙ୍କ ବନବାସ ନିମିତ ଅନେକଗୁଡିଏ କାରଣ ଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବି କାରଣ ଥିଲା, ପ୍ରକୃତିର ସୁରକ୍ଷା । ହାତରେ ଧନୁସର ଧରି ତଦନାନ୍ତନ ମହାବଳୀ ଉଗ୍ର ରାକ୍ଷାସମାନଙ୍କ ଉପଦ୍ରବରୁ କେବଳ ସାଧୁସନ୍ଥ ବା ଯଜ୍ଞର ସୁରକ୍ଷା ନିମନ୍ତେ ନୁହେଁ ଅପରନ୍ତୁ ସେମାନଙ୍କ ଦ୍ୱାରା ଅକାରଣରେ ଉତ୍ପାଡିତ ବୃକ୍ଷମାନଙ୍କ ଯୋଗୁଁ କ୍ଷୟପ୍ରାପ୍ତ ହେଉଥିବା ଜଙ୍ଗଲରାଜିର ସୁରକ୍ଷା ନିମନ୍ତେ ବି ପ୍ରତିଶ୍ରୁତିବଦ୍ଧ ଥିଲେ ରାମାୟଣର ପ୍ରଭୁ ଶ୍ରୀରାମ ଆଉ ଲକ୍ଷ୍ମଣ ।

ଏବେ ମନରେ ପ୍ରଶ୍ନଉଠେ ଆମେ କାହାକୁ ପୂଜା କରିବା- ସୃଷ୍ଟିକୁ ନା ସ୍ରଷ୍ଟାଙ୍କୁ? ପ୍ରକୃତି ନା ପରମାତ୍ମାଙ୍କୁ?? ଆଜିର କରୋନା କବଳିତ ବିଶ୍ୱର ବାସ୍ତବ ଚିତ୍ରକୁ ଅବଲୋକନ କଲେ ଏହାର ଉତ୍ତର ସ୍ପଷ୍ଟ ଅନୁମିତ । ସ୍ରଷ୍ଟାଙ୍କ ପୂଜା କରିବାର କୌଣସି ଆବଶ୍ୟକତା ନାହିଁ । ସେ ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି, ତାଙ୍କୁ କେବଳ ଅନୁଭବ କରାଯିବା ଦରକାର । ତାଙ୍କ ପାଖରେ ସମର୍ପିତ ହେବା ଦରକାର । ଭୋଗରାଗ, ଫୁଲ ପାଣିର ପୂଜାରେ ବି ଆଗ୍ରହ ନଥାଏ ତାଙ୍କର । କାରଣ ଏସବୁ ଦ୍ରବ୍ୟ ବି ତାଙ୍କର । ତାଙ୍କ ଜିନିଷକୁ ତାଙ୍କୁ ଅର୍ପଣ କରିବା ଯାହା, ଗଙ୍ଗା ପାଣିରେ ଗଙ୍ଗାକୁ ପୂଜା କରିବା ସେୟା । ପରମାତ୍ମା କେବଳ ଚାହାନ୍ତି, ତାଙ୍କ ସୃଷ୍ଟିଟା ସୁରକ୍ଷିତ ରହୁ । ଏଥିରେ ସେ ଢ଼େର ଖୁସି ହେବେ ।

କିନ୍ତୁ ବଡ଼ ଦୁଃଖର କଥା, ଇତର ପ୍ରାଣୀମାନଙ୍କ ଅପେକ୍ଷା ଏ ମଣିଷ ହିଁ ଏବେ ସୃଷ୍ଟିଟାକୁ ବେଶୀ ଉଜଡାମସ୍ତ କରୁଛି । ସେଥିପାଇଁ କରୋନାର ଟାର୍ଗେଟରେ ଏବେ କେବଳ ମଣିଷ । ମଣିଷକୁ ଖୋଜି ଖୋଜି ସେ ତା’ର ତଂଟି ଚିପି ମାରୁଛି । ପ୍ରତି ମୁହୂର୍ତରେ କରୋନା ଏବେ ଏଇ ବାର୍ତା ଦେଉଛି ଯେ ହେ ମଣିଷ! ସୃଷ୍ଟିକୁ ରକ୍ଷା କରିବା ପାଇଁ ଏବେ ବି ସମୟ ଅଛି । ପୃଥିବୀକୁ ଧ୍ୱସଂ କରିବା ପାଇଁ ପରମାଣୁ ବୋମା ବା ମିଜାଇଲ ତିଆରିରେ ଆଉ ମନ ନଦେଇ ଏଣିକି ସମ୍ମିଳିତ ଭାବେ ପ୍ରକୃତିର ଉପାସନାରେ ବ୍ରତୀ ହୁଅ । ମନେରଖ, ପ୍ରକୃତି ପୂଜା ହିଁ ପ୍ରକୃତ ପୂଜା । ଏଥିରେ ବିଚ୍ୟୁତ ହେଲେ ସୃଷ୍ଟ ବିପଦରୁ କେହି ବି ତୁମକୁ ରକ୍ଷା କରିପାରିବେ ନାହିଁ ।

ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ

Leave A Reply

Your email address will not be published.