ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧି ଧରି ଇଣ୍ଟରନେଟ କଲିଂ ସେବା ଯୋଗାଇ ଆସୁଥିବା ସ୍କାଇପ୍(Skype)କୁ ବନ୍ଦ କରିବାକୁ ଯାଉଛି ମାଇକ୍ରୋସୋଫ୍ଟ । ନୂଆ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ଲାଗି ହେଉ କି କୌଣସି ବନ୍ଧୁଙ୍କ ସହିତ ଭିଡିଓ କଲ୍ରେ କଥା ହେବା ପର୍ଯ୍ୟନ୍ତ ସ୍କାଇପ୍ କେବେ ନା କେବେ ଆପଣଙ୍କ କାମରେ ଆସିଥାଏ । ଏବେ କିନ୍ତୁ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯୋଜନା କରୁଛି । କୁହାଯାଉଛି ଯେ, ଆସନ୍ତା ମେ’ ୫ ତାରିଖ ପରଠୁ ଆଉ କାମ କରିବନି ସ୍କାଇପ୍ ।
ସ୍କାଇପ୍ର ସ୍ଥାପନା ୨୦୦୩ରେ ଉତ୍ତର ୟୁରୋପୀୟ ଦେଶ ଇଷ୍ଟୋନିଆର ଟାଲିନ୍ର କିଛି ଇଞ୍ଜିନିୟର ବିକଶିତ କରିଥିଲେ । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଲ୍ୟାଣ୍ଡଲାଇନ୍ ବଦଳରେ ଇଣ୍ଟରନେଟ୍ର ବ୍ୟବହାର କରି କଲ୍ କରିବାକୁ ଆରମ୍ଭ ହୋଇଥିଲା । ୨୦୦୫ରେ ଏଥିରେ ଭିଡିଓ କଲିଂ ସୁବିଧା ମଧ୍ୟ ସାମିଲ କରାଯାଇଥିଲା । ୨୦୧୧ ମସିହାରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ଏହି ପ୍ଲାଟଫର୍ମକୁ କିଣିଥିଲା । ଏହି ସମୟରେ ସ୍କାଇପ୍ ନିକଟରେ ୧୭୦ ମିଲିୟନ ୟୁଜର ଥିଲେ । କିନ୍ତୁ କୋଭିଡ ମହାମାରୀ ସମୟରେ ଜୁମ୍ ଓ ଟିମ୍ସ ଭଳି ନୂଆ ଭିଡିଓ ପ୍ଲାଟଫର୍ମ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲେ । ଏହି ସମୟରେ ସ୍କାଇପ୍ର ୟୁଜରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା । ଏଥିଲାଗି ମାଇକ୍ରୋସଫ୍ଟ ସ୍କାଇପ୍କୁ ବନ୍ଦ କରି ଟିମ୍ସକୁ ଆଗକୁ ବଢାଇବାରେ ଲାଗିଲା ।
କହି ରଖୁଛୁ କି, ଏହି ପ୍ଲାଟଫର୍ମରେ ମିଳୁଥିବା କିଛି ସେବାକୁ କମ୍ପାନୀ ଯୋଗାଯୋଗ ପ୍ଲାଟଫର୍ମ ଟିମ୍ସରେ ସ୍ଥାନାନ୍ତରିତ କରିବ ବୋଲି କହିଛି । ଏବେ ସ୍କାଇପ୍ର ୟୁଜରମାନେ ନିଜ ବିଦ୍ୟମାନ ଆକାଉଣ୍ଟ ଜରିଆରେ ମାଇକ୍ରୋସଫ୍ଟ ଟିମ୍ସରେ ଲଗ୍ ଇନ୍ କରିପାରିବେ । ଟିମ୍ସ ହେଉଛି ମାଇକ୍ରୋସଫ୍ଟର ପ୍ରମୁଖ ଭିଡିଓ କନଫରେନ୍ସିଂ ଓ ଟିମ ଆପ୍ଲିକେସନ ପ୍ଲାଟଫର୍ମ । ଏବେ ଟିମ୍ସ କମ୍ପାନୀର ଏକ ମୁଖ୍ୟ କମ୍ୟୁନିକେସନ ଆପ୍ ହୋଇପାରିଛି ।
Comments are closed.