Latest Odisha News

BREAKING NEWS

ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା; ଗିରଫ ହେଲା ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ

ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଉଠାଇନେଇଛି କମିଶନରେଟ୍‌ ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଙ୍କୁ ଉଠାଇ ଆଣିଥିଲା ପୋଲିସ । ଗିରଫ ପରେ ସୌମ୍ୟଜିତ୍‌ଙ୍କୁ ଭୁବନେଶ୍ୱର ଆଣୁଛି କମିଶନରେଟ୍‌ ପୋଲିସ । ଗତବର୍ଷ ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପ୍ରେମିକ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ। ଶ୍ବେତାଙ୍କ ମୃତ୍ୟୁକୁ ୬ ମାସ ପୂରି ସାରିଥିବା ବେଳେ ଆଜି ସୌମ୍ୟଜିତଙ୍କୁ ଗିରଫ କରିଛି ପୋଲିସ। ଗିରଫଦାରୀରୁ ବର୍ତ୍ତିବା ପାଇଁ ସୌମ୍ୟଜିତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ତାହା ଖାରଜ ହୋଇଯିବାରୁ ଆଜି ତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌।

ସୂଚନା ଅନୁଯାୟୀ, ୨୦୨୨ ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ବେଳେ ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ଥିବା ଜଣାପଡ଼ିଥିଲା। ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା। ଏହାପରେ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍‌ ଚାଟ୍‌ ଭାଇରାଲ ହେବା ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମନାକୁ ଆସିଥିଲା। ମୃତ୍ୟ ପୂର୍ବରୁ ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ହେଲେ ଲୋନ ବାବଦରେ ଜାଣି ନଥିଲେ ଶ୍ୱେତାଙ୍କ ପରିବାର ଲୋକେ । ତେବେ ଏତେ ଟଙ୍କା ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଥିବା ସେମାନେ ପୁଲିସ୍‌ ସମ୍ମୁଖରେ ଅଭିଯୋଗ କରିଥିଲେ ।

ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଏଥିନିମନ୍ତେ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଥିଲେ। ଏନେଇ ଶ୍ୱେତାଙ୍କ ବାପା କହିଥିଲେ, ସୌମ୍ୟଜିତ ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମୃତ୍ୟୁ ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ। ଶ୍ୱେତା ମୃତ୍ୟୁର ୬ ମାସ ପରେ ଆଜି ସକାଳୁ ସୌମ୍ୟଜିତ୍‌ଙ୍କୁ ଗିରଫ କରିଛି କମିଶନ୍‌ରେଟ୍‌ ପୋଲିସ୍‌  ।

 

Leave A Reply

Your email address will not be published.