କଳିଙ୍ଗନଗର: ଓଡ଼ିଶାର ଇସ୍ପାତ ଶିଳ୍ପ ଜଗତରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ଏହାର ବାର୍ଷିକ ଉତ୍ପାଦନ କ୍ଷମତାକୁ ବର୍ତ୍ତମାନର ୧ ଏମଟିପିଏ (ମିଲିୟନ ଟନ)ରୁ ୪.୮ ଏମଟିପିଏ କୁ ବୃଦ୍ଧି କରିବା ପାଇଁ ତାର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ପରିବେଶ ମଞ୍ଜୁରୀ ପ୍ରାପ୍ତ କରିଛି ।
ଜୁଲାଇ ୨୦୨୨ରେ ଟାଟା ଷ୍ଟିଲ୍ ଦ୍ୱାରା ଅଧିଗ୍ରହଣ ହେବା ପରଠାରୁ, ଏହି ପ୍ଲାଣ୍ଟ ମାତ୍ର ୧୦୦ ଦିନ ମଧ୍ୟରେ ପୁନଃ କାର୍ଯ୍ୟକ୍ଷମ ହୋଇ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ପୂର୍ଣ୍ଣ ଉତ୍ପାଦନ କ୍ଷମତା ହାସଲ କରି ସଫଳତାର ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି ।
ଏହି ସମ୍ପ୍ରସାରଣ ଯୋଜନାରେ ଏକ ସମ୍ପୂର୍ଣ୍ଣ ସମନ୍ୱିତ ଇସ୍ପାତ ଉତ୍ପାଦନ ବ୍ୟବସ୍ଥା ନିର୍ମାଣ କରାଯିବ । ଏଥିରେ କୋକ୍ ଓଭନ୍ ଏବଂ ବାଏ-ପ୍ରଡକ୍ଟ ପ୍ଲାଣ୍ଟ, ସିଣ୍ଟର୍ ପ୍ଲାଣ୍ଟ, ଏକ ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍, ରିବାର୍ ମିଲ୍, କଏଲ୍ ମିଲ୍ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏକ ୱାୟାର୍ ରଡ୍ ମିଲ୍ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଡିସଲଫ୍ୟୁରାଇଜେସନ୍ ୟୁନିଟ୍, ଲାଇମ୍ କ୍ୟାଲସିନେସନ୍ ପ୍ଲାଣ୍ଟ ଏବଂ କାରଖାନା ପାଇଁ ଏକ ସ୍ୱତନ୍ତ୍ର ବିଦ୍ୟୁତ ପ୍ରକଳ୍ପ ମଧ୍ୟ ସ୍ଥାପନ କରିବ ।
ଉତ୍ପାଦନ ଦକ୍ଷତା ବୃଦ୍ଧି ସହ ପରିବେଶ ରକ୍ଷା ପାଇଁ କମ୍ପାନୀ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରେସିପିଟେଟର୍ସ, ସାଇକ୍ଲୋନ୍ ସେପାରେଟର୍ସ, ଡ୍ରାଏ-ଫଗ୍ ସିଷ୍ଟମ୍, ବ୍ୟାଗ୍ ଫିଲ୍ଟର୍ ଏବଂ ଯାନ୍ତ୍ରିକ ଜଳ ସିଞ୍ଚନ ଭଳି ଉନ୍ନତ ପ୍ରଦୂଷଣ ନିରୋଧକ ବ୍ୟବସ୍ଥା ଗ୍ରହଣ କରିବ ।
ଏହି ସମ୍ପ୍ରସାରଣ କଳିଙ୍ଗନଗର ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ଅନୁଷଙ୍ଗିକ ଶିଳ୍ପ, ସେବା ପ୍ରଦାନକାରୀ ସଂସ୍ଥା ଏବଂ ପରିବହନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହା ସ୍ଥାନୀୟ ଅର୍ଥନୀତିକୁ ଜାତୀୟ ତଥା ବିଶ୍ୱସ୍ତରୀୟ ଇସ୍ପାତ ବଜାର ସହ ଯୋଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ କମ୍ପାନୀ ଏହାର ଉତ୍ପାଦନ କ୍ଷମତାକୁ ୯.୫ ଏମଟିପିଏ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି, ଯାହା ଏହି ଅଞ୍ଚଳ ପାଇଁ ଅଧିକ ଆର୍ଥିକ ସୁଯୋଗ ଆଣିଦେବ ।