Latest Odisha News

ବେଆଇନ୍ ଲୋନ୍ ଆପ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଗୁଗୁଲ ପ୍ଲେ ଷ୍ଟୋରରେ ବେଆଇନ୍ ଲୋନ୍ ଆପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ରକସିତ ଓ ସୁଶାନ୍ତ । ଉଭୟଙ୍କ ବିରୋଧରେ ଇଓଡବ୍ଲୁ ଆଇପିସି ଧାରା ୨୯୪/୫୦୬/୫୦୭/୪୨୦/୪୬୭/୪୬୮/୧୨୦ ବି ସହ ଆଇଟି ଆକ୍ଟ ୬୬ ଡିରେ ମାମଲା ରୁଜୁ କରିଛି ।

ଗିରଫ ୨ ଅଭିଯୁକ୍ତ ୩ ଗୋଟି ଶେଲ୍ କମ୍ପାନୀର ନିର୍ଦ୍ଦେଶ ଥିଲେ । ଏହି କମ୍ପାନୀ ଦ୍ୱାରା ଅଭିଯୁକ୍ତ ବେଆଇନ୍ ଭାବେ ଋଣ ଦେବା ସହ ଜବରଦସ୍ତି ଆଦାୟ କରୁଥିଲେ । ଅନେକ ସମୟରେ ଅନ୍ୟ କମ୍ପାନୀ ସହ ମିଶି ବେଙ୍ଗଳୁରୁରେ ଖୋଲିଥିବା କଲ୍ ସେଣ୍ଟରରୁ ଋଣ ନେଉଥିବା ବ୍ୟକ୍ତିଙ୍କୁ ଧମକ ମଧ୍ୟ ଦେଉଥିଲେ । ଏପରିକି ଗ୍ରାହକଙ୍କ ଗୋପନୀୟ ତଥ୍ୟକୁ ଅନ୍ୟ ମାନଙ୍କୁ ଦେଉଥିବା ଜଣାପଡ଼ିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବ୍ଲୁ ।

ପ୍ଲେ ଷ୍ଟୋରରେ ଥିବା ବେଆଇନ୍ ଲୋନ୍ ଆପକୁ ହଟାଇବା ଲାଗି ନିକଟରେ ଗୁଗୁଲକୁ ଇଓଡବ୍ଲୁ ଚିଠି ଲେଖିଥିଲା । ଯଦି ଏଭଳି ଆପରୁ ଋଣ ନେଇ କେହି କମ୍ପାନୀ ଦ୍ୱାରା ଶୋଷଣର ଶିକାର ହେଉଥିଲେ ପୋଲିସକୁ ଜଣାଇବାକୁ କହିଛି ଇଓଡବ୍ଲୁ ।

Comments are closed.