Latest Odisha News

ସମ୍ବାଦ ଅଫିସରୁ ଜବତ ଦସ୍ତାବିଜ ଖୋଲିବ ଦୁର୍ନୀତିର ଗୁମର!

ଭୁବନେଶ୍ୱର: ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଯାଞ୍ଚ। କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ସମ୍ବାଦ ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ। ବର୍ତ୍ତମାନ ସୁଦ୍ଧା କିଛି ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚରା ହୋଇଛି। ଏନେଇ ପ୍ରେସ ରିଲିଜ ଜାରି କରିଛି EOW।

ସୂଚନା ଅନୁସାରେ ଗତ ୧୬ ତାରିଖରେ ଜଣେ ପୂର୍ବତନ କର୍ମଚାରୀ ଇଓଡବ୍ଲୁରେ ଋଣ ମାମଲାରେ ଅଭିଯୋଗ କରିଥିଲେ। ସମ୍ବାଦ ତଥା ଇଣ୍ଟର୍ଣ୍ଣ ମିଡିଆ ଲିମିଟେଡର ପ୍ରାୟ ୩୦୦ କର୍ମଚାରୀଙ୍କ ନାଁରେ ଜାଲ କାଗଜପତ୍ର କରି ଜୋର ଜବରଦସ୍ତ ପ୍ରାୟ ୫୦ କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ସମ୍ବାଦର ୧୫ ରୁ ୨୦ ଜଣ ପୂର୍ବତନ କର୍ମଚାରୀ ଆଗକୁ ଆସିଲେଣି। ସମ୍ବାଦ ଖବରକାଗଜ ନାଁରେ ବ୍ୟାଙ୍କ ଋଣ ନେଇ ଠକେଇ, ଜାଲିଆତି ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗ କରିଥିଲେ ପୂର୍ବତନ କର୍ମଚାରୀ।

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଏକାଧିକ ସମ୍ବାଦ କର୍ମଚାରୀଙ୍କୁ ବଳ ପୂର୍ବକ ବ୍ୟକ୍ତିଗତ ଋଣ ନେବା ପାଇଁ ବାଧ୍ୟ କରାଯାଇଛି। କୋଟି କୋଟି ଟଙ୍କାରେ କର୍ମଚାରୀ ନାମରେ ସଂସ୍ଥା ଋଣ ଉଠାଇଛି। ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି। ଏହି ମାମଲାରେ ପୂର୍ବରୁ ସମ୍ବାଦର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା। ଗତକାଲି EOW ରେ ହାଜର ହୋଇଥିଲେ ସମ୍ବାଦର ସିଇଓ କମଳାକାନ୍ତ ମହାପାତ୍ର। ଅନ୍ୟପଟେ ସମ୍ବାଦ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ।

ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି। କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି ।

Comments are closed.