ଭୁବନେଶ୍ୱର: ମୋବାଇଲ ଆପ୍ଲିକେସନ ଜରିଆରେ ଋଣ ଦେଉଥିବା ଠକ ସଂସ୍ଥାଙ୍କ ଉପରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଭୁବନେଶ୍ୱର ଇଓଡବ୍ଲୁ ‘ମହାଗ୍ରାମ ପେମେଣ୍ଟଓ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାର ୬.୫୭ କୋଟି ଟଙ୍କା ଏବଂ ୪ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି । ଏହି ସଂସ୍ଥା ଦୁଇଟି ମୋବାଇଲ ଆପ୍ ‘କୋକୋ’ ଏବଂ ‘ଜୋଜୋ’ ନାମରେ ସାଧାରଣ ଲୋକଙ୍କୁ ବେଆଇନ ଢ଼ଙ୍ଗରେ ଋଣ ଦେଉଥିଲେ ।
ଋଣ ଦେବା ପରେ ମାତ୍ରାଧିକ ହାରରେ ସୁଧ ଉଠାଉଥିଲା ଏହି କମ୍ପାନୀ । ଏମାନେ ଆରବିଆଇ କିମ୍ବା ଏନବିଏଫସି ରେଜିଷ୍ଟର ଭୁକ୍ତ କମ୍ପାନୀ ନୁହନ୍ତି । ଆପ୍ ଡାଉନଲୋଡ୍ କରିବା ପରେ ଆପେ ଗ୍ରାହକଙ୍କ ନିକଟକୁ ଆସିଯାଉଥିଲା ଟଙ୍କା । ଏବଂ କିଛି ସପ୍ତାହ ପରେ ଜବନଦସ୍ତି ମାତ୍ରାଧିକ ହାର ର ସୁଧ ଦେବାକୁ କିମ୍ବା ସଂପୂର୍ଣ୍ଣ ଋଣ ପରିଶୋଧ କରିବାକୁ କୁହାଯାଉଥିଲା ।
ଯଦି ଗ୍ରାହକ ଅଧିକ ସୁଧ ପାଇଁ ମନାକରନ୍ତି. ସେମାନଙ୍କୁ ବିଭିନ୍ନ ନମ୍ବରରୁ ଅସଭ୍ୟ ଭାଷାରେ ମେସେଜ୍ ଆସେ । ଅନେକ ଲୋକ ଫୋନ୍ କରି ଗାଳି କରନ୍ତି । ଋଣ ଗ୍ରହିତା ଏବଂ ତାଙ୍କ ପରିବାରକୁ ଏହି ଠକ ସଂସ୍ଥା ବିଭିନ୍ନ ପ୍ରକାର ଧମକ ଦିଏ । ଘରୁ ଉଠାଇନେବା ଭଳି ଧମକ ମଧ୍ୟ ଦିଅନ୍ତି ।
ଇଓଡବ୍ଲୁ ଚଢ଼ଉ କରିଥିବା ଦୁଇ ଆପ୍ଲିକେସନ ଜରିଆରେ ପ୍ରାୟ ଦେଢ଼ ଲକ୍ଷରର ଅଧିକ ଲୋକେ ଋଣ ନେଇଛନ୍ତି । ବିଳମ୍ବରେ ଋଣ ଶୁଝୁଥିବା ଲୋକଙ୍କୁ ମଧ୍ୟ ଏହି ସଂସ୍ଥା ଅସ୍ରାବ୍ୟ ଭାଷାରେ ଗାଳି କରିବାକୁ କର୍ମଚାରୀ ନିୟୋଜିତ କରିଛି । ଏହି କମ୍ପାନୀ ଗୁଡ଼ିକ ଋଣ ଗୋଟିଏ ଆକାଉଣ୍ଟରୁ ପ୍ରଦାନ କରନ୍ତି କିନ୍ତୁ ଅନ୍ୟ ଏକ ସଂସ୍ଥା ନାମରେ ଋଣ ଟଙ୍କା ନିଅନ୍ତି ।
ପୋଲିସ୍ ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଠାରୁ ବଞ୍ଚିବା ପାଇଁ ବିଭିନ୍ନ ପର୍ଯ୍ୟାୟ ଓ ସ୍ତର କରିଛନ୍ତି ଋଣ ଟଙ୍କା ଆଦାୟ କରିବା ପାଇଁ । ଜଣେ ବ୍ୟକ୍ତି ମହାଗ୍ରାମ ପେମେଣ୍ଟସରୁ ଋଣ ଟଙ୍କା ପାଇଥିଲେ । କିଛି ସପ୍ତାହରେ ଠକ ସଂସ୍ଥା ସେହି ଋଣ ଗ୍ରହିତାଙ୍କୁ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଗାଳି ଗୁଳଜ କରି ୫ ଗୁଣା ଅର୍ଥ ଆଦାୟ କରିଥିଲା । ଋଣ ମହାଗ୍ରାମ ଆକାଉଣ୍ଟରୁ ଯାଇଥିବା ବେଳେ ଆଦାୟ ଗୁରଗାଓଁ ର ଆଇଡବ୍ଲୁଟି ଇଣ୍ଡିଆ ନାମକ କମ୍ପାନୀ ଆକାଉଣ୍ଟରେ ହୋଇଥିଲା ।
ଇଓଡବ୍ଲୁ ଏଭଳି ସଂସ୍ଥା ଆଇଏନଏସ ଲୋନ୍, କ୍ରେଡିଟ୍-ବି, ଫ୍ଲିପ୍ କ୍ୟାସ୍, ଗୋକ୍ୟାସ୍, ଲୋନ ଇଣ୍ଡିଆ, ଲୋନ୍ ଲୋନ୍, ପାମ୍ ଟ୍ରି, କ୍ୟାସ୍ କୋଲା, ଆସାନ ଲୋନ୍, ରୂପି ୱାଲେଟ, ଫାଷ୍ଟ ରୂପି, ଇଜି କ୍ରେଡିଟ ଲୋନ୍ ଆପ୍, ସନସାଇନ୍ ଲୋନ୍, ରୂପି କିଙ୍ଗ୍ ଲୋନ୍ ଆପ୍ ଆଦି ସଂସ୍ଥା ଉପରେ ନଜର ରଖିଛି । ଏବଂ ଏମାନେ ଆରବିଆଇ ରେଜିଷ୍ଟର ଭୁକ୍ତ କମ୍ପାନୀ ନୁହନ୍ତି । ଏମାନଙ୍କ ଠାରୁ ସତର୍କ ରହିବାକୁ ଇଓଡବ୍ଲୁ ପରାମର୍ଶ ଦେଇଛି ।
ଏହି ମାମଲାରେ ଇଓଡବ୍ଲୁ ର ତିନୋଟି ସଂସ୍ଥା ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ରେ ତଦନ୍ତ କରୁଛି । ତେଲେଙ୍ଗାନା ପୋଲିସ ସହ ମିଳିତ ଭାବେ ମଧ୍ୟ ହାଇଦ୍ରାବାଦରେ ଥିବା ସଂସ୍ଥା ଗୁଡ଼ିକ ଉପରେ ନଜର ରଖାଯାଇଛି ବୋଲି ଜଣାପଡ଼ିଛି ।
Comments are closed.