Latest Odisha News

BREAKING NEWS

ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କ ପାଇଁ ଇଏସ୍‌ଆଇ ସୁବିଧା

ନୂଆଦିଲ୍ଲୀ : ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାର କାର୍ଯ୍ୟରତ ଠିକା ଓ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା ବା ଇଏସଆଇ ବ୍ୟବସ୍ଥାରେ କରାଯାଇଛି ଅନ୍ତର୍ଭୁକ୍ତ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏନେଇ ଘୋଷଣା କରିଛନ୍ତି । କର୍ମଚାରା ରାଜ୍ୟ ବୀମା ଆଇନ ୧୯୪୮ ଅନୁସାରେ ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ/ଶ୍ରମିକମାନେ ଏହି ସୁବିଧା ପାଇବେ । ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ପରାମର୍ଶକ୍ରମେ ଏହି ସୁବିଧା କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇଏସ୍‌ଆଇ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ, ଜାତୀୟ ରାଜଧାନୀ କ୍ଷେତ୍ର ଅଧୀନରେ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ରହିଛି । ତେଣୁ ଦିଲ୍ଲୀର ପୌରନିଗମ/ପରିଷଦ ବା ମହାନଗର ପାଳିକାର ଚୁକ୍ତିଭିତ୍ତିକ ସାମୟିକ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରିବେ । ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଗତ ୭ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଇଏସ୍‌ଆଇ ନିୟମ ସମ୍ପୃକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ଏହା ଦିଲ୍ଲୀର ସବୁ ପୌରନିଗମ ଓ ପୌର ପରିଷଦ ପାଇଁ ଲାଗୁ ହେବ ।

ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବହୁ ସଂଖ୍ୟାରେ ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ନିଯୁକ୍ତ କରୁଛନ୍ତି । ତେବେ ଏହି ସବୁ କର୍ମଚାରୀ ନିୟମିତ ହୋଇ ନ ଥିବାରୁ ସେମାନେ ସାମାଜିକ ନିରାପତ୍ତା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ଦୁଃଖ ଦୂର ପାଇଁ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସାମାଜିକ ସୁରକ୍ଷା ପାଇବେ ବୋଲି କହିଛନ୍ତି ମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବୁ ପୌରାଞ୍ଚଳ/ପରିଷଦର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ଇଏସ୍‌ଆଇ ଆଇନ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ । ଏହି ସୁବିଧା ମଧ୍ୟରେ ଅସୁସ୍ଥତାଜନିତ ଲାଭ, ମାତୃତ୍ୱ କାଳୀନ ସୁବିଧା, ନିର୍ଭରଶୀଳଙ୍କୁ ସୁବିଧା ଯୋଗାଣ, ଶେଷକୃତ୍ୟ ଜନିତ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହା ସହିତ ସମ୍ପୃକ୍ତ କର୍ମଚାରୀ ଦେଶର ୧୬୦ ଇଏସ୍‌ଆଇ ହସ୍‌ପିଟାଲ ଓ ୧୫୦୦ରୁ ଅଧିକ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ।

Leave A Reply

Your email address will not be published.