Latest Odisha News

BREAKING NEWS

୨୧୨, ତଥାପି ଅସନ୍ତୋଷ

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେ ମଧ୍ୟ ପିସିସିର ନୂଆ କମିଟି ଗଠନ ହେଲା। ଯୁବ ପିଢିଙ୍କୁ ପଦପଦବୀ ମିଳିଲା। ଏପରିକି ବଡ଼ ଟିମ କରି ପୁରୁଣା ନେତାଙ୍କୁ ମଧ୍ୟ ଏକଜେକ୍ୟୁଟିଭ କମିଟିରେ ନିଆଯାଇଛି। ବରିଷ୍ଠ ଯୁବଙ୍କ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରଖାଯିବାକୁ ଉଦ୍ୟମ ହେଲା। କିନ୍ତୁ କଥା ଯାହାକୁ ସେୟା।

ଯେମିତି ପୂର୍ବରୁ ନୂଆ ପିସିସି ସଭାପତି ଦାୟିତ୍ବ ନେଲେ ବା ନୂଆ କମିଟି ଗଠନ ହେଲେ ଯେମିତି ଦ୍ବନ୍ଦ୍ୱ ହୁଏ ଏବେ ସେମିତି ଆରମ୍ଭ ହୋଇଯାଇଛି। ଏଭଳି ଏକ କମିଟି ଗଢି ପିସିସି ସଭାପତି ଶରତ ପଟ୍ଟନାୟକ ଆଗାମୀ ନିର୍ବାଚନକୁ ଓଲ୍ହାଇଵାକୁ ଯୋଜନା କରୁଥିବା ବେଳେ କମିଟିକୁ ନେଇ ବିରୋଧ ଆରମ୍ଭ ହୋଇଗଲାଣି।

ଏକଜେକ୍ୟୁଟିଭ କମିଟିରେ ଅନେକ ବରିଷ୍ଠ ନେତା ରହିଥିବାବେଳେ ସେଥିରେ କଟକ ବାରବାଟି ବିଧାୟକ ମହମଦ ମୋକିମ ରହିଛନ୍ତି । କିନ୍ତୁ ସେ ଏହି ତାଲିକାରେ ରହିବାକୁ ହାଲୁକା ଭାବେ ନେଇଥିବା କୁହାଯାଉଛି। ସେହିପରି ବିଧାୟକ ତାରା ପ୍ରସାଦ ବାହିନୀପତି ବରିଷ୍ଠ ଉପସଭାପତି ପଦରେ ରହିଥିଲେ ମଧ୍ୟ ତାଙ୍କୁ ଏହି ପଦ ଦରକାର ନାହିଁ ବୋଲି କହିଛନ୍ତି।

ତାରାଙ୍କ ଏହି ଅସନ୍ତୋଷ ପଛରେ କୋରାପୁଟରେ ପରିବର୍ତିତ ରାଜନୈତିକ ସମିକରଣ ଅନ୍ୟ ଏକ କାରଣ ବୋଲି କୁହାଯାଉଛି। କୋରାପୁଟରେ ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଜିଲ୍ଲା ସଭାପତି ରହିଛନ୍ତି। କିନ୍ତୁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ ନେଇ ବିବାଦ ତେଜିଛି।

ସପ୍ତଗିରିଙ୍କୁ ମିଶାଇ ପରିବାରରୁ ତିନି ଜଣ କମିଟିରେ ସ୍ଥାନ ପାଇଥିବାରୁ ବିବାଦ ହୋଇଥିବା କୁହାଯାଉଛି। ପୂର୍ବରୁ କୋରାପୁଟରେ ତାରା ବାହିନୀପତି ଓ ସପ୍ତଗିରି ଉଲ୍ଲକାଙ୍କ ମଧ୍ୟରେ ପଡୁ ନ ଥିବା ଚର୍ଚ୍ଚା ହେଉଛି।

ଏପରିକି କମିଟିରେ ପରିବାରବାଦକୁ ନେଇ ପ୍ରଶ୍ନ ଉଠିଛି। ତେଣୁ କମିଟି ହେବାକ୍ଷଣି ଏଭଳି ବିରୋଧ ପିସିସି ସଭାପତିଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା କୁହାଯାଉଛି। ଆଗକୁ ନିର୍ବାଚନ ଥିବାରୁ ଏ ସବୁର ସମାଧାନ କିଭଳି ହେବ ତାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା।

Leave A Reply

Your email address will not be published.