Latest Odisha News

BREAKING NEWS

ଇଭିଏମ ଭାଙ୍ଗିବା ଘଟଣା: ଜେଲ୍ ଗଲେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଗୁରୁବାର ଦିନ କୋର୍ଟକୁ ଚାଲାଣ କରାଯାଇଥିଲା, ମାତ୍ର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି ।

ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ବିଧାନସଭା ଆସନର ୧୮୨ ନଂ ବୁଥରେ ପଶି ଜଣେ ପ୍ରାର୍ଥୀ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା । ଏହାଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଥିଲା ।

ଗଣମାଧ୍ୟମକୁ ଅଭିଯୋଗ କରି ବିଷୋୟୀ କହିଛନ୍ତି, ବିଜେଡ଼ି କର୍ମୀମାନେ ହିଁ ଏହି ଇଭିଏମ ୟୁନିଟକୁ ଭଙ୍ଗାରୁଜା କରିଛନ୍ତି । “ବିଜେଡ଼ି କର୍ମୀମାନେ ଏହା ଭଙ୍ଗାରୁଜା କରିଥିବା ବେଳେ ମୁଁ ଏହାକୁ ପ୍ରତିରୋଧ କରି ଅଭିଯୋଗ ମଧ୍ୟ କରିଥିଲି,” ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସୋରଡ଼ା ଥାନା ଆଇଆଇସି ପ୍ରଭାତ ସାହୁ କହିଛନ୍ତି, ପୋଲିଂ ବୁଥ ମଧ୍ୟରେ ଥିବା ପୋଲିଂ ଏଜେଣ୍ଟଙ୍କ ଦ୍ୱାରା ଅଭିଯୋଗ ଅନୁସାରେ ହିଁ ଆମେ ବିଷୋୟୀଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛୁ । “ବିଜେପି ପ୍ରାର୍ଥୀଙ୍କର ଅଭିଯୋଗ ଅମୂଳକ,” ବୋଲି କହିଛନ୍ତି ସୋରଡ଼ା ଥାନା ଆଇଆଇସି ପ୍ରଭାତ ସାହୁ ।

ଗଞ୍ଜାମ ଏସପି ବ୍ରିଜେଶ ରାୟ କହିଛନ୍ତି, ପୋଲିଂ କର୍ମଚାରୀ ଓ ପ୍ରିଜାଇଡ଼ିଂ ଅଫିସରଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ବିଷୋୟୀଙ୍କୁ ଥାନାରେ ଅଟକ ରଖିଥିଲା ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଏନେଇ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବେ ।

Leave A Reply

Your email address will not be published.