Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ସୁବାସ ଚୌହାନ, ଲଢିବେନି ନିର୍ବାଚନ

ଭୁବନେଶ୍ୱର : ବରଗଡ ଜିଲ୍ଲାର ପୂର୍ବତନ ବିଜେପି ନେତା ତଥା ପାର୍ଟି ଉପସଭାପତି ସୁଭାଷ ଚୌହାନ ବୁଧବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।

ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଏହି ବରିଷ୍ଠ ରାଜନେତା କହିଛନ୍ତି, ନବୀନ ପଟ୍ଟନାୟକ ଆଦର୍ଶ ଓ ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛି । ସେ ଏହି ଦଳରେ ଯୋଗ ଦେବା ଲାଗି କୌଣସି ପ୍ରକାର ସର୍ତ୍ତ ରଖିନାହିଁ । ମୁଁ ୩୦ ବର୍ଷରୁ ଅଧିକକାଳ ଲୋକଙ୍କ ଲାଗି କାମ କରିଛି ଏବଂ ଆଗାମୀ ଦିନରେ ମଧ୍ୟ ଜନତାଙ୍କ ପାଇଁ କାର୍ଯ୍ୟ କରିବି । ସର୍ବୋପରି ମୁଁ ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖିବି ।

ଏହାବ୍ୟତିତ ବିଜେପିର ଏହି ପୂର୍ବତନ ନେତା ଚଳିତ ବର୍ଷ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଆରଏସଏସ୍ ସହିତ ତାଙ୍କର ସମ୍ପର୍କ ପୂର୍ବପରି ରହିବ ବୋଲି ସୁଭାସ ସ୍ପଷ୍ଟ କରିଛନ୍ତି । ସେ ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ସଯୋଂଜକ ଭାବେ ମଧ୍ୟ ରହିଥିଲେ ।

ଦଳରେ ତାଙ୍କୁ ଅଣଦେଖା କରାଯିବା ଏବଂ ସୁରେଶ ପୂଜାରୀଙ୍କୁ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ନେଇ ସୁବାସ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୨୦୧୪ ଲୋକସଭା ନିର୍ବାଚନରେ ବରଗଡ ଆସନରେ ପ୍ରତିଦ୍ୱନ୍ଦିତା କରି ବିଜେଡିର ପ୍ରଭାସ ସିଂହଙ୍କ ଠାରୁ ୧୧,୧୭୮ ଭୋଟରେ ପରାସ୍ତ ହୋଇଥିଲେ । ଏହି ଅସନ୍ତୋଷ ପରେ ତାଙ୍କ ସମର୍ଥକମାନେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରା ମଧ୍ୟ ଲଗାଇଥିଲେ ।

Leave A Reply

Your email address will not be published.