କେନ୍ଦ୍ରାପଡା: ଝିଅର ପାଠ ପଢ଼ା ପାଇଁ କିମ୍ବା ବିବାହ ପାଇଁ ଅଭାବୀ ବାପା ଅନେକ ଖର୍ଚ୍ଚ ତୁଲାଇଥାଏ। କିନ୍ତୁ ବୋଧହୁଏ ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବାପା ଝିଅର ନିର୍ବାଚନୀ ଖର୍ଚ୍ଚ ଭରଣ କରିବାକୁ ଯାଇ ନିଜ ସମ୍ପତ୍ତିର କିଛି ଅଂଶକୁ ବିକ୍ରି କରିଛନ୍ତି। କେନ୍ଦ୍ରପଡା ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ତାଙ୍କ ବିଧାୟକ ପ୍ରାର୍ଥୀ ଝିଅ ପାଇଁ ଏହି ସଂପତ୍ତି ବିକ୍ରି କରିଥିବା ଅଭିଯୋଗ ହୋଇଛି।
୨୮ ବର୍ଷୀୟା ଡାକ୍ତର ଦେବସ୍ମିତା ଶର୍ମା ନିଜ ସରକାରୀ ପଦବୀ ଛାଡି ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏବେ ତାଙ୍କ ନିର୍ବାଚନୀ ଖର୍ଚ୍ଚ ଭରଣ କରିବା ପାଇଁ ନିଆଲା ଗାଁରେ ଥିବା ଏକ ଜମିକୁ ପୂର୍ବତନ ବିଧାୟକ ବିକ୍ରି କରିଛନ୍ତି।
ବିନା ବାହ୍ୟ ଆର୍ଥିକ ସହାୟତାରେ ନିଜ ଝିଅର ପ୍ରଚାରକୁ ସମର୍ଥନ କରିବାକୁ ସଂକଳ୍ପବଦ୍ଧ ଦେବେନ୍ଦ୍ର ଶର୍ମା ଦେବସ୍ମିତାଙ୍କ ନିର୍ବାଚନୀ ଯାତ୍ରାରେ ଯେପରି କୌଣସି ଆର୍ଥିକ ବାଧା ସୃଷ୍ଟି ନ ହୁଏ ସେଥିପାଇଁ ନିଜ ଜମିର ୫ ଡିସିମିଲ୍ ବିକ୍ରି କରିଛନ୍ତି। ବର୍ତମାନର ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓ ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ଦେବସ୍ମିତା ଆଳି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଏବଂ ରାଜନୀତିରେ ଅର୍ଥ ଓ ବାହୁବଳର ପ୍ରଚଳିତ ବ୍ୟବହାର ବିରୋଧରେ ନିଜର ଆଭିମୁଖ୍ୟ ମାଧ୍ୟମରେ ଭୋଟରଙ୍କ ସମର୍ଥନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଦେବେନ୍ଦ୍ର ଶର୍ମା ପରିବାରର ଆଳି ନିର୍ବାଚନ ମଣ୍ଡଳୀରେ ଗୋଟିଏ ପ୍ରଭାବ ରହିଛି। ଉଭୟ ଦେବସ୍ମିତାଙ୍କ ବାପା ତଥା ଜେଜେବାପା ଡାକ୍ତର ଦିବାକରନାଥ ଶର୍ମା ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ଏଥିସହ ଗ୍ରାମବାସୀଙ୍କୁ ଚିକିତ୍ସା ମଧ୍ଯ କରିଛନ୍ତି। ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିଶନଙ୍କ ଖର୍ଚ୍ଚ ସୀମା ଥିବା ସତ୍ତ୍ୱେ ଦେବସ୍ମିତା ନିର୍ବାଚନରେ ବିରୋଧୀଙ୍କ ଅତ୍ୟଧିକ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
Comments are closed.