Latest Odisha News

BREAKING NEWS

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସାଇବାବାଙ୍କର ଦେହାନ୍ତ, କାହିଁକି ସେ ଥିଲେ ଚର୍ଚ୍ଚାରେ ?

ନୂଆଦିଲ୍ଲୀ: ମାଓବାଦୀ ଲିଙ୍କ ଅଭିଯୋଗରେ ସାତ ମାସ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜି ଏନ ସାଇବାବାଙ୍କର ଦେହାନ୍ତ ହୋଇଛି। ତାଙ୍କର ଏକ ଅପରେସନ ପରେ ଜଟିଳତା ହେତୁ ଶନିବାର ଦିଲ୍ଲୀର ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସାଇବାବା ଗଲ୍ ବ୍ଲାଡର ସଂକ୍ରମଣରେ ପୀଡିତ ଥିଲେ ଏବଂ ଦୁଇ ସପ୍ତାହ ପୂର୍ବରୁ ଏକ ଅପରେସନ୍ କରାଯାଇଥିଲା ଯାହା ପରେ ଜଟିଳତା ଦେଖାଦେଇଥିଲା। ଶନିବାର ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ଗତ ୨୦ଦିନ ଧରି ‘ନିଜାମ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ’ (NIMS) ରେ ଭର୍ତ୍ତି କରାଯାଇଥିଲା।

ମାର୍ଚ୍ଚରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ସାଇବାବା ଏବଂ ଅନ୍ୟ ପାଞ୍ଚଜଣଙ୍କୁ ମାଓବାଦୀ ଲିଙ୍କ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ କରି କହିଥିଲେ ଯେ ସେମାନଙ୍କ ବିରୋଧରେ ମାମଲା ପ୍ରମାଣ କରିବାରେ ବିଫଳ ହୋଇଛି। କୋର୍ଟ ତାଙ୍କ ଆଜୀବନ କାରାଦଣ୍ଡକୁ ମଧ୍ୟ ବାତିଲ କରିଦେଇଥିଲେ। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମିଳିଥିବା ମଞ୍ଜୁରକୁ କୋର୍ଟ ‘ଅବୈଧ’ ବୋଲି କହିଥିଲେ। ନିର୍ଦ୍ଦୋଷରେ ଖଲାସ ହେବା ପରେ ସାଇବାବା ୧୦ ବର୍ଷ ପରେ ନାଗପୁର ସେଣ୍ଟ୍ରାଲ ଜେଲରୁ ବାହାରିଥିଲେ।

୧୪ ଅକ୍ଟୋବର ୨୦୨୨ରେ ବମ୍ବେ ହାଇକୋର୍ଟ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଅକ୍ଟୋବର ୧୫ରେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇ ଦେଇଥିଲେ। ତେଣୁ ସାଇବାବାକୁ ଜେଲରୁ ମୁକୁଳିବା ଲାଗି ଆହୁରି ଅପେକ୍ଷା କରିବାକୁ ପଡ଼ିଥିଲା। ଜେଲରେ ରହିବା ସମୟରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେନେଇ ଖୋଲାଖୋଲି କହିଥିଲେ ସାଇବାବା । ଏପରିକି ମାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଜେଲରୁ ଆସିବାକୁ ଅନୁମତି ମିଳିନଥିଲା।

ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜିଏନ ସାଇବାବା । ୯୦ ପ୍ରତିଶତ ଶାରୀରିକ ଅକ୍ଷମତା ସତ୍ତ୍ୱେ ‌ସେ ସଫାଳତାକୁ ସ୍ପର୍ଶ କରିବାର ସୁଯୋଗ ପାଇଥିଲେ। ୨୦୦୩ରେ ସେ ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପାଖରେ ହ୍ବିଲଚେୟାର କିଣିବାକୁ ମଧ୍ୟ ଟଙ୍କା ନଥିଲା । କିନ୍ତୁ ପାଠ ପଢ଼ାରେ ସବୁବେଳେ ଆଗରେ ରହୁଥିଲେ ସାଇବାବା । ତେବେ ତାଙ୍କର ପ୍ରେମ ବିବାହ ହୋଇଥିଲା ।

ଅଖିଳ ଭାରତୀୟ ପିପୁଲ୍ସ ରେଜିଷ୍ଟାନ୍ସ (ଏଆଇପିଆରଏଫ)ର ଜଣେ କର୍ମୀ ଭାବରେ ସେ କାଶ୍ମୀର ଏବଂ ପୂର୍ବୋତ୍ତରରେ ମୁକ୍ତି ଆନ୍ଦୋଳନ ସମର୍ଥନରେ ଦଳିତ ଏବଂ ଆଦିବାସୀଙ୍କ ଅଧିକାର ପାଇଁ ପ୍ରଚାର କରୁଥିଲେ । ଆଉ ଏଥି ପାଇଁ ସେ ୨ ଲକ୍ଷ କିମିରୁ ଅଧିକ ଯାତ୍ରା କରିଥିଲେ । ଏସବୁ ପରେ ମାଓବାଦୀଙ୍କ ସହ ଲିଙ୍କ୍ ଥିବା ସନ୍ଦେହରେ ୨୦୧୪ରେ ଗିରଫ ହୋଇ ଚାକିରି ହରାଇଥିଲେ ସାଇବାବା । ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ୨୦୨୪ରେ ଦୋଷମୁକ୍ତ ହୋଇଥିବା ଜିଏନ ସାଇବାବାଙ୍କ ପରଲୋକ ହୋଇଛି ।

 

Leave A Reply

Your email address will not be published.