Latest Odisha News

BREAKING NEWS

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ଜେଏମଏମ୍ ଛାଡ଼ି ବିଜେପିରେ ଯୋଗ ଦେବେ କି ଚମ୍ପାଇ ସୋରେନ୍ ?

ଝାଡଖଣ୍ଡ: ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା। ଝାଡଖଣ୍ଡ (ମୁକ୍ତିମୋର୍ଚ୍ଚା )ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଛି। ବିଦ୍ରୋହ ମୁଡରେ ଥିବା ଚମ୍ପାଇ ସୋରେନ୍ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଦିଲ୍ଲୀରେ ପହଞ୍ଚବା ପରେ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ମନ୍ତବ୍ୟ ପୋଷ୍ଟ କରିଛନ୍ତି।

ଚମ୍ପେଇ କହିଛନ୍ତି, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ଏହି ପଦରେ ସେ ଅତ୍ୟନ୍ତ ଅପମାନଜନକ ଅନୁଭୂତି ପାଇଛନ୍ତି, ଯାହା ତାଙ୍କୁ ବିକଳ୍ପ ପଥ ବାଛିବା ପାଇଁ ବାଧ୍ୟ କରିଥିଲା। ତାଙ୍କୁ ନଜଣାଇ ଜୁଲାଇରେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ଦଳର ନେତୃତ୍ୱ ବାତିଲ କରିଦେଇଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅନ୍ୟ ଜଣେ ବାତିଲ କରିବାଠାରୁ ଗଣତନ୍ତ୍ରରେ ବଡ଼ ଅପମାନ କିଛି ନଥାଇପାରେ ବୋଲି ଚମ୍ପାଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକ ଡାକିବା ତାଙ୍କ କ୍ଷମତାଧୀନ ହୋଇଥିବାବେଳେ ବୈଠକ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନ ଥିଲା। ଉକ୍ତ ବୈଠକରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ଏବଂ କ୍ଷମତା ଲୋଭ ନ ଥିବାରୁ ସେ ପଦ ଛାଡ଼ିଥିଲେ। ତାଙ୍କ ଆତ୍ମସମ୍ମାନକୁ ଏହା ଗଭୀର ଭାବେ ଆଘାତ ଦେଇଥିଲା ବୋଲି ଚମ୍ପାଇ କହିଛନ୍ତି। ଆଗାମୀ ଝାଡ଼ଖଣ୍ଡ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ବିକଳ୍ପ ଖୋଲା ରହିଥିବା ସେ ସୋସିଆଲ ମିଡିଆରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌ ଗିରଫ ହେବା ପରେ ୬୭ ବର୍ଷୀୟ ଚମ୍ପାଇ ଗତ ଫେବୃଆରୀ ୨ତାରିଖରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓ ଜୁଲାଇ ୩ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Comments are closed.