Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ପୂର୍ବତନ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ମିଳିଥିôବା ସୂଚନାନୁଯାୟୀ, ଅପରାଜିତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୧୧, ଆକବରରୋଡ଼ସ୍ଥିତ କାର୍ଯ୍ୟାଳୟ ବାସଭବନରେ ସକାଳ ୯ଟାରେ ପହଞ୍ଚି ଥିଲେ । ସେ ଅମିତ ଶାହାଙ୍କ ନିକଟରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ସମୟରେ ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ଓଡ଼ିଶା ରାଜ୍ୟ ପ୍ରଭାରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ସିଂହ ଉପସ୍ଥିତ ରହିଥିଲେ ।

ପାର୍ଟି ସୂତ୍ରରୁ ଜଣାପଡ଼ିଛି ଆସନ୍ତାକାଲି ଅପରାଜିତା ଭୁବନେଶ୍ୱର ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଏକ ବୈଠକରେ ଯୋଗଦେବେ ।

ତେବେ ଅପରାଜିତା ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଆସନରୁ କିମ୍ବା ଭୁବନେଶ୍ୱର (ମଧ୍ୟମ) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ରାଜ୍ୟ ସରକାର ତାଙ୍କର ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ଆବେଦନକୁ ନଭେମ୍ବର ୧୪ ତାରିଖରେ କେନ୍ଦ୍ରକୁ ସୁପାରିଶ କରିଥିଲେ ଏବଂ ନଭେମ୍ବର ୧୭ ତାରିଖ ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆବେଦନକୁ ମଞ୍ଜୁର କରାଯାଇଥିଲା । ଅପରାଜିତା ଗତ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ଏହି ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ)ଲାଗି ଦରଖାସ୍ତ ପତ୍ର ଆବେଦନ କରିଥିଲେ ।

ଯଦିଓ ଅପରାଜିତା ବିହାର ରାଜ୍ୟର ମୂଳ ବାସିନ୍ଦା କିନ୍ତୁ ସେ ତାଙ୍କର ବ୍ୟାଚମେଟ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିବା ପରେ ଓଡ଼ିଶାକୁ ହିଁ ତାଙ୍କର କର୍ମସ୍ଥଳୀ ଭାବେ ବାଛିଛନ୍ତି । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇଥିଲେ । ତାହା ପୂର୍ବରୁ ସେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସଚିବ, ଉଚ୍ଚଶିକ୍ଷା ସଚିବ, କନସୋଲିଡ଼େସନ କମିଶନର ଏବଂ ବସ୍ତ୍ର ଓ ବୟନଶିଳ୍ପ ସଚିବ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.