Latest Odisha News

BREAKING NEWS

ଜେଲରେ ଖରାପ ହେଲା ଇମ୍ରାନଙ୍କ ଆଖି

କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି।

କୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ସଲମାନ ସଫଦରଙ୍କ ରିପୋର୍ଟ ଅନୁଯାୟୀ, ଆଦିଆଲା ଜେଲରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କ ଡାହାଣ ଆଖିର ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହ୍ରାସ ହୋଇଛି। ଅପରପକ୍ଷରେ ତାଙ୍କ ସମର୍ଥକ ଏବଂ ସହଯୋଗୀମାନେ ଏହାକୁ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଦ୍ୱାରା ଏକ ସୁଚିନ୍ତିତ ଏବଂ ଅମାନବୀୟ ବ୍ୟବହାର ବୋଲି କହିଛନ୍ତି।

ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ଦୃଷ୍ଟିଶକ୍ତି (୬/୬ ଦୃଷ୍ଟିଶକ୍ତି) ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା। ତା’ପରେ ତାଙ୍କୁ ସବୁ କିଛି ଝାପ୍ସା ଦିଶିଥିଲା ଓ ଏ ନେଇ ସେ ଜେଲ୍ ଅଧୀକ୍ଷକଙ୍କ ନିକଟରେ ଅନେକ ଥର ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ଏହାକୁ ଅଣଦେଖା କରାଯାଇଥିଲା।ପରେ ଅବହେଳା ଯୋଗୁଁ ତାଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ପରେ ହସ୍ପିଟାଲରୁ ଡାକ୍ତରଙ୍କୁ ଡକାଯାଇଥିଲା ଓ ତାଙ୍କ ଆଖିରେ ରକ୍ତ ଜମାଟ ବାନ୍ଧିଥିବା ନେଇ ପରୀକ୍ଷା ପରେ ଜଣାପଡ଼ିଥିଲା। ଏବେ ତାଙ୍କ ଡାହାଣ ଆଖିରେ କେବଳ ୧୫ ପ୍ରତିଶତ ଦୃଷ୍ଟିଶକ୍ତି ବାକି ଅଛି।

ତେବେ ଇମ୍ରାନ ଖାନ ଗତ ଦୁଇ ବର୍ଷ ଚାରି ମାସ ଧରି ସମ୍ପୂର୍ଣ୍ଣ ଏକାକୀ ଜୀବନଯାପନ କରୁଛନ୍ତି। ଯାହା ତାଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଛି। ୭୩ ବର୍ଷୀୟ ଖାନଙ୍କୁ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ଦେଖା କରିବାକୁ ଅନୁମତି ନାହିଁ। ତାଙ୍କ ଭଉଣୀମାନଙ୍କୁ ତାଙ୍କୁ ଦେଖା କରିବାକୁ ଅନୁମତି ନାହିଁ। ସପ୍ତାହରେ କେବଳ ୩୦ ମିନିଟ୍ ପାଇଁ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଭେଟ କରିବାର ଅନୁମତି ରହିଛି। ୨୦୨୫ ମସିହାରେ ତାଙ୍କୁ ତାଙ୍କ ପୁଅମାନଙ୍କ (କାସିମ ଏବଂ ସୁଲେମାନ) ସହିତ ଫୋନ୍‌ରେ କେବଳ ଦୁଇଥର କଥା ହେବାକୁ ଅନୁମତି ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଗତ ପାଞ୍ଚ ମାସ ଧରି ଇମ୍ରାନ ଖାନଙ୍କୁ ତାଙ୍କ ମୁଖ୍ୟ ଓକିଲ ଏବଂ ଆଇନଗତ ଦଳକୁ ଭେଟିବାକୁ ଅନୁମତି ଦିଆଯାଇନାହିଁ ବୋଲି ଆଇନଜୀବୀ ସଲମାନ ସଫଦର କହିଛନ୍ତି। ଯାହାକି ସାମ୍ବିଧାନିକ ଅଧିକାରର ସିଧାସଳଖ ଉଲ୍ଲଂଘନ ବୋଲି କୁହା ଯାଇଛି।

Comments are closed.