ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ଏବଂ ସାମରିକ ସଂଘର୍ଷରେ, ଭାରତ ପୁଣି ଥରେ ପ୍ରମାଣ କରିଛି ଯେ ସେ କେବଳ କଡ଼ା ଶବ୍ଦରେ ନୁହେଁ ବରଂ ଠୋସ୍ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦର ଜବାବ ଦିଏ । ଅପରେସନ ସିନ୍ଦୂର ଅଧୀନରେ ଭାରତ ଯେଭଳି ଭାବରେ ପାକିସ୍ତାନକୁ ଧୋଇଛି, ତାହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି । ଏନେଇ ଏବେ ଆମେରିକାର ଜଣେ ପୂର୍ବତନ ଅଧିକାରୀ ଏବଂ ଆମେରିକୀୟ ଏଣ୍ଟରପ୍ରାଇଜ୍ ଇନଷ୍ଟିଚ୍ୟୁଟର ବରିଷ୍ଠ ଫେଲୋ ମାଇକେଲ୍ ରୁବିନ୍ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କରିଛନ୍ତି ।
ଏଏନଆଇକୁ ଦେିଥିବା ସାକ୍ଷାତକାରରେ ସେ କହିଛନ୍ତି, ଭାରତ କେବଳ ସାମରିକ ଦୃଷ୍ଟିରୁ ନୁହେଁ ବରଂ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଏକ ସ୍ପଷ୍ଟ ଏବଂ ନିଶ୍ଚିତ ବିଜୟ ହାସଲ କରିଛି । ଭାରତୀୟ ସେନା ସେମାନଙ୍କର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିବାରୁ ପାକିସ୍ତାନ ଆଉ ମିଛ ଏବଂ ଭ୍ରମ ଦୁନିଆରେ ରହିପାରିବ ନାହିଁ । ପାକିସ୍ତାନ ଯାହାପବି କହୁ , ହେଲେ ତା ସେନା ଏହି ଯୁଦ୍ଧରେ ଅତି ଖରାପ ଭାବରେ ହାରିଛି ବୋଲି, ଏ ସତ୍ୟରୁ ବଞ୍ଚିପାରିବ ନାହିଁ। ସେ ପାକିସ୍ତାନର ପରିସ୍ଥିତିକୁ ଏକ ଭୟଭୀତ କୁକୁର ସହିତ ତୁଳନା କରିଛନ୍ତି, କହିଛନ୍ତି, ପାକିସ୍ତାନ ଏକ ଭୟଭୀତ କୁକୁର ଭଳି ତା’ର ଲାଞ୍ଜ ଜାକି କଲାଇ ଯାଇଛି । ତାଙ୍କ ମତରେ, ପାକିସ୍ତାନ ଏବେ କେବଳ ଯୁଦ୍ଧବିରତି ପାଇଁ ଭିକ୍ଷା କରୁଛି କାରଣ ଭାରତ ଏହାର ସାମରିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛି ଏବଂ ସମଗ୍ର ବିଶ୍ୱର ଧ୍ୟାନ ଏବେ ପାକିସ୍ତାନର ଆତଙ୍କବାଦକୁ ସମର୍ଥନ କରିବା ନୀତି ଉପରେ କେନ୍ଦ୍ରିତ ।
ଏଥିସହିତ ସେ ଏହା ବି କହିଛନ୍ତି, ଯେତେବେଳେ ପାକିସ୍ତାନୀ ଅଧିକାରୀମାନେ ଆତଙ୍କବାଦୀଙ୍କ ଶବଦାହରେ ଯୋଗ ଦିଅନ୍ତି, ସେତେବେଳେ ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ କୌଣସି ପାର୍ଥକ୍ୟ ରହି ନାହିଁ। ବିଶ୍ୱ ଏବେ ପାକିସ୍ତାନକୁ ତା’ର ବ୍ୟବସ୍ଥାରୁ ଏହି ମଇଳା ହଟାଇବାକୁ ଦାବି କରିବ । ରୁବିନ୍ ପାକିସ୍ତାନର ଆଭ୍ୟନ୍ତରୀଣ ସାମରିକ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଜେନେରାଲ ଅସୀମ ମୁନିର ଏବଂ ତାଙ୍କ ପରି ଅଧିକାରୀମାନେ ପ୍ରକୃତରେ ସେମାନଙ୍କର ଚାକିରି ବଜାୟ ରଖିପାରିବେ କି ନାହିଁ ତାହା ବିଚାର କରିବା ଉଚିତ। ପାକିସ୍ତାନ ସେନା ଏବେ ଏକ ‘କର୍କଟ’ ପାଲଟିଛି, ଯାହା କେବଳ ଦେଶର ରାଜନୀତି ଏବଂ ଅର୍ଥନୀତିକୁ ପ୍ରଭାବିତ କରୁନାହିଁ ବରଂ ସମଗ୍ର ସମାଜ ଉପରେ ବୋଝ ପାଲଟିଛି ବୋଲି କଡା କରି କହିଛନ୍ତି ରୁବିନ୍ ।
Comments are closed.