ପାରଳାଖେମୁଣ୍ଡି: ଭତ୍ତା ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ବ୍ୟବସ୍ଥା ବନ୍ଦ କରି ହିତାଧିକାରୀଙ୍କ ହାତରେ ଦେବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯେଉଁ ହିତାଧିକାରୀ ଚାଲି ପାରୁନାହାନ୍ତି ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ପାରଳାଖେମୁଣ୍ଡି ୱାର୍ଡ଼ ନମ୍ବର ୧୨ର ୯୫ ବର୍ଷର ବୃଦ୍ଧା ଲବଙ୍ଗ ଗୟାଙ୍କୁ ଭତ୍ତା ଟଙ୍କା ପାଇବା ପାଇଁ ନାକେଦମ ହେବାକୁ ପଡ଼ିଥିଲା । ତାଙ୍କୁ ତିନିମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିଲା । ସମ୍ପର୍କୀୟ ଏକ ଟ୍ରଲିରେ ତାଙ୍କୁ ବୋହି ପ୍ରଥମେ ବ୍ୟାଙ୍କ ଓ ପରେ ପୌରପାଳିକା କାର୍ଯ୍ୟାଳୟକୁ ଆଣିବା ପରେ ଭତ୍ତା ଟଙ୍କା ମିଳିଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଲବଙ୍ଗଙ୍କ ଘରେ ପହଞ୍ଚିଥିଲେ । ତାଙ୍କର ଏକ ଜିରୋ ବାଲାନ୍ସ ଯୁକ୍ତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଏହାଦ୍ୱାରା ଲବଙ୍ଗ ପ୍ରତି ମାସରେ ବ୍ୟାଙ୍କ ଦୌଡିବା ପରିବର୍ତ୍ତେର୍ ନିଜ ଘରେ ରହି ପେନସନ୍ ପାଇବାରେ ସକ୍ଷମ ହେବେ । ଏନେଇ ଲବଙ୍ଗଙ୍କ ଝିଅ ଡ଼ାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ବୟସାଧିକ କାରଣରୁ ଲବଙ୍ଗ ଏବେ ଚାଲିବାକୁ ଅକ୍ଷମ । ଫଳରେ ସେ ଭତ୍ତା ଆଣିବା ପାଇଁ ଆଉ ଯାଇପାରୁ ନାହାନ୍ତି । ତେଣୁ ତାଙ୍କ ଝିଅ ଓ ନାତି ଏକ ଟ୍ରଲିରେ ଭତ୍ତା ଟଙ୍କା ଆଣିବାକୁ ବ୍ୟାଙ୍କକୁ ନେଇଥିଲେ । ପୌରପାଳିକା ଅଫିସକୁ ଟଙ୍କା ପଠାଇ ଦିଆଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । ପରେ ଲବଙ୍ଗଙ୍କୁ ନେଇ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଲବଙ୍ଗଙ୍କୁ ବକେୟା ଭତ୍ତା ଟଙ୍କା ମିଳିଥିଲା ।
Comments are closed.