ଭୁବନେଶ୍ୱର: ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରତ୍ୟାହାର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶ ଦେଇଛି। ଆଜିଠୁ ଲୋକମାନେ ନିଜ ପାଖରେ ରଖିଥିବା ଏହି ବଡ ନୋଟକୁ ବଦଳାଇପାରିବେ। ତେଣୁ ଓଡ଼ିଶା ସମେତ ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ତେବେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଜାରି ରହିବ ବୋଲି ଆରବିଆଇ ପ୍ରତିଶ୍ରୁତି ଦେଇଥିବା ବେଳେ ବ୍ୟାଙ୍କରେ ନୋଟ୍ ବଦଳାଇବା ପାଇଁ ସେପ୍ଟେମ୍ବର ୩୦ ତାରିଖ ଯାଏ ସମୟ ଧାର୍ଯ୍ୟ କରାଯାଇଛି।
ଭୁବନେଶ୍ୱର ସ୍ଥିତ, ଆରବିଆଇ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦି ବ୍ୟାଙ୍କକୁ ଆସି ଲୋକମାନେ ନୋଟ୍ ବଦଳ କରୁଛନ୍ତି। ଆଉ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଆଦି ନୋଟ୍ ନେଉଛନ୍ତି। ଯେଉଁମାନେ ନେବାକୁ ଚାହୁଁନାହାନ୍ତି ଏହି ଟଙ୍କାକୁ ସେମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିପାରିବେ।
ସେହିପରି ଏସବିଆଇ ଭୁବନେଶ୍ବର ମଣ୍ଡଳ ସିଜିଏମ୍ ଚନ୍ଦ୍ରଶେଖର ଶର୍ମାଙ୍କ ସୂଚନା ଅନୁଯାୟୀ, ୮୯୦ ଏସବିଆଇ ଶାଖାରେ ନୋଟ୍ ବଦଳର ବ୍ୟବସ୍ଥା ହୋଇଛି। ନୋଟ୍ ବଦଳାଇବା ପାଇଁ ଆମ ପାଖରେ ୧୨ ହଜାର କୋଟି ରହିଛି। ଅଧିକ ଦରକାର ପଡ଼ିଲେ ଘଣ୍ଟାକ ଭିତରେ ଆରବିଆଇ ଦେବାକୁ କହିଛି । ଥରକେ ୨୦ ହଜାର, ଫାଙ୍କା ଥିଲେ ଦିନକୁ ଏକାଧିକ ଥର ବଦଳାଇ ହେବ। ନୋଟ୍ ବଦଳ ପାଇଁ କୌଣସି ଆଇଡି ପ୍ରମାଣ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ମୁଦ୍ରା ପରିଚାଳନାର ଏକ ଅଂଶବିଶେଷ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ସେମାନଙ୍କ ଶାଖାଗୁଡ଼ିକରେ ଉପଯୁକ୍ତ ସୁବିଧା ସୁଯୋଗ ଯେପରିକି ପାନୀୟ ଜଳ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି।
ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ବେଆଇନ ଭାବେ ୨୦୦୦ ଟଙ୍କିଆ ନୋଟ୍ ରଖିଥିବା ବ୍ୟକ୍ତିମାନେ ମୁଦ୍ରା ବିନିମୟ ପାଇଁ ବ୍ୟାଙ୍କର ଦ୍ୱାରସ୍ଥ ହେବାକୁ କୁଣ୍ଠାବୋଧ କରିପାରନ୍ତି। ଏହାବ୍ୟତୀତ ଯଦି ସେମାନେ ୨ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସୁନା କିଣିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ପାନ୍ କାର୍ଡ ପ୍ରଦାନ କରିବାକୁ ପଡ଼ିବ, ଯାହାଦ୍ୱାରା ସେମାନଙ୍କ କାରବାର ଲୁଚାଇବା କଷ୍ଟକର ହେବ।
Comments are closed.