ଜଳେଶ୍ବର: ବ୍ରାଉନସୁଗାର ରେଡ୍ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା। ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ। ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ ଲୋକେ। ଅବକାରୀ ବିଭାଗ ଗାଡ଼ି ଅଟକାଇ ଚାବି ଛଡ଼ାଇ ନେଇଥିବା ଅଭିଯୋଗ। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ।
ମିଛ ମାମଲାରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି। ଏଥିସହ ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମର୍ଦ୍ଦା ବଜାରର ଜଣଙ୍କ ଘର ଉପରେ ଆଜି ସକାଳେ ଅବକାରୀ ଟିମ୍ ଚଢ଼ାଉ କରିଥିଲା। ଅବକାରୀ ଟିମ୍ କିଛି ପାଉଡର ପରି ପଦାର୍ଥ ଜବତ କରିଥିବା ବେଳେ ତାହା ବ୍ରାଉନସୁଗର ବୋଲି କହୁଛି। ମାତ୍ର ପରିବାର ଲୋକେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାହା ମୁଲତାନୀ ମାଟି ବୋଲି ସେମାନେ ଦାବି କରୁଛନ୍ତି।
ଏହି ଅଭିଯୋଗରେ ପୋଲିସ୍ ଜଣେ ବୃଦ୍ଧାଙ୍କୁ ଗିରଫ କରି ଜଳେଶ୍ୱର ନେଇ ଯାଇଥିବା ବେଳେ ତାତିଛନ୍ତି ପରିବାର ଲୋକେ। ସେମାନେ ଚଢ଼ାଉ ପାଇଁ ଆସିଥିବା ଟିମ୍ର ଗାଡ଼ି ଚାବି ଛଡ଼ାଇ ରଖିଛନ୍ତି। ଏଥିସହ ରାସ୍ତା ଉପରେ ଧାରଣା ଦେଇଛନ୍ତି। ବୃଦ୍ଧାଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।