Latest Odisha News

BREAKING NEWS

ଅବକାରୀ ବିଭାଗକୁ ବଡ଼ ସଫଳତା: ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ

ରାଉରକେଲା: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମଦ ବିରୋଧରେ ଚାଲିଛି ସ୍ପେସିଆଲ ଡ୍ରାଇଭ। ତେବେ ନିର୍ବାଚନ ପୂର୍ବରୁ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍‌କୁ ଯୋଗାଉଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ। ଏଥିସହ ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ, ରାଉରକେଲାର ଅବକାରୀ ବିଭାଗ ଜିଲ୍ଲାର ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ସମ୍ପର୍କରେ ସୂଚନା ପାଇଥିଲା। ସୂଚନାକୁ ଆଧାର କରି ଅବକାରୀ ବିଭାଗର ଡିଏସ୍‌ଇ ଅର୍ଚ୍ଚନା ବାରିକଙ୍କ ନେତୃତ୍ୱରେ ଅବକାରୀ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଦଳ ମଙ୍ଗଳବାର ଦିନ ଏହି ଗାଁ ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଟିମ୍ ଜାଣିବାକୁ ପାଇଥିଲା ଯେ ଗାଁର ଏକ ଖୋଲା ପଡ଼ିଆରେ କାର୍‌ରୁ ସ୍କୁଟିକୁ ମଦ ବୋତଲ ଲୋଡ୍ ହେଉଥିଲା। ଅବକାରୀ ଅଧିକାରୀମାନେ ଏହା ଦେଖି ମଦ ମାଫିଆ ବଳଭଦ୍ର ପାତ୍ରକୁ ମାଡ଼ି ବସିଥିଲା। ତା’ଙ୍କ ପାଖରୁ ନକଲି ମଦ, ଗୋଟିଏ କାର୍‌, ସ୍କୁଟି ଓ ମୋବାଇଲ୍‌ ଜବତ କରିଛି।

ରାକେଟର ମୁଖ୍ୟ ବଳଭଦ୍ରଙ୍କୁ ପଚରାଉଚରା ବେଳେ ସେ ଝାଡ଼ଖଣ୍ଡରୁ ନକଲି ମଦ କିଣୁଥିବା ପ୍ରକାଶ କରିଥିଲେ। କିଛି ରାସାୟନିକ ପଦାର୍ଥ ଏବଂ ସିନ୍ଥେଟିକ୍ ରଙ୍ଗ ମିଶ୍ରଣ କରିବା ପରେ ସେ ମଦ ବୋତଲ ଷ୍ଟିକରିଂ କରୁଥିଲେ। ବିଭିନ୍ନ ଖ୍ୟାତିସମ୍ପନ୍ନ ବ୍ରାଣ୍ଡର କ୍ୟାପ୍ ସହିତ ବୋତଲଗୁଡିକ ସିଲ୍ କରି ବିଭିନ୍ନ ହୋଟେଲ୍‌ ଓ ଢ଼ାବାକୁ ଯୋଗାଉଥିଲା। ଏହି ମଦ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଢ଼ାବାକୁ ଯାଇଥିବା ଅଭିଯୁକ୍ତ ସ୍ୱୀକାର କରିଛି। ତେବେ ଏନେଇ ଡିଏସ୍‌ଇ କହିଛନ୍ତି ଯେ ନକଲି ମଦ କାରବାରକୁ ବଳଭଦ୍ରକୁ ଅନେକ ଥର ଗିରଫ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପ୍ରତ୍ୟେକ ଥର ଜେଲରୁ ଜାମିନରେ ଆସିବା ପରେ ସେ ନିଜ ବେଆଇନ କାରବାର ପୁଣିଥରେ ଆରମ୍ଭ କରେ।

Leave A Reply

Your email address will not be published.