Latest Odisha News

BREAKING NEWS

ଚୀନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିକଟରେ ଚୀନ୍‌ର ସାଂଘାଇ ବିମାନବନ୍ଦରରେ ଜଣେ ଭାରତୀୟ ନାଗରିକଙ୍କୁ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏବେ ଏହି ଘଟଣା ସମ୍ପର୍କରେ ପଚରା ଯାଇତିବା ପ୍ରଶ୍ନର ଉତ୍ତର ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ଚୀନ୍‌ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି ।

ରଣଧୀର ଜୟସୱାଲ କହିଛନ୍ତି, “ଆମେ ଆପଣଙ୍କ ଚିନ୍ତା ବୁଝିପାରୁଛୁ । ଆପଣ ସାଂଘାଇ ବିମାନବନ୍ଦରରେ ଘଟିଥିବା ସାମ୍ପ୍ରତିକ ଘଟଣାର ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଆମେ ଚୀନ୍ କର୍ତ୍ତୃପକ୍ଷଙ୍କୁ ଏହି ପ୍ରତିଶ୍ରୁତି ଦେବାକୁ ଆଶା କରୁଛୁ ଯେ ଚୀନ୍ ବିମାନବନ୍ଦର ଦେଇ ଯାତାୟାତ କରୁଥିବା କୌଣସି ଭାରତୀୟ ନାଗରିକଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରାଯିବ ନାହିଁ, ସେମାନଙ୍କୁ ମନଇଚ୍ଛା ଅଟକାଯିବ ନାହିଁ କିମ୍ବା ହଇରାଣ କରାଯିବ ନାହିଁ, ଏବଂ ଚୀନ୍ ପକ୍ଷ ଅନ୍ତର୍ଜାତୀୟ ବିମାନ ଯାତ୍ରା ନିୟନ୍ତ୍ରଣ କରୁଥିବା ନିୟମ ପାଳନ କରିବ।”

ତେବେ ଏହି ସମ୍ପୂର୍ଣ୍ଣ ମାମଲା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ସାମ୍ନାକୁ ଆସିଥିଲା । ଭାରତର ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ଚୀନର ସାଂଘାଇ ବିମାନବନ୍ଦରରେ ଅଟକ ରଖାଯାଇଥିଲା । ଚୀନ୍ କର୍ତ୍ତୃପକ୍ଷ ମହିଳାଙ୍କ ଭାରତୀୟ ପାସପୋର୍ଟକୁ ବୈଧ ବୋଲି ସ୍ୱୀକାର କରିବାକୁ ମନା କରିଦେଇଥିଲେ । ଏବେ, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି, “ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ଚୀନ୍ ଯାତ୍ରା କରିବା କିମ୍ବା ଚୀନ ଦେଇ ଯାତ୍ରା କରୁଛନ୍ତି ସେହି ସମୟରେ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।

Leave A Reply

Your email address will not be published.