Latest Odisha News

ଏକଜିଟ୍ ପୋଲ ରିପୋର୍ଟ: କମିବ ବିଜେଡିର ବିଧାୟକ ସଂଖ୍ୟା, ବଢ଼ିବ ବିଜେପି

ଭୁବନେଶ୍ୱର: କେବଳ ୨୧ ଲୋକସଭା ଆସନ ନୁହେଁ ଚଳିତଥର ୧୪୭ ବିଧାନସଭା ଆସନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଏଭଳି କିଛି ଅନୁମାନ କରିଛି।

ରିପୋର୍ଟ ଅନୁଯାୟୀ ୧୪୭ ବିଧାନସଭା ଆସନରୁ ବିଜେପି ୬୨ରୁ ୮୦ ଆସନ ଜିତିପାରେ। ବିଜୁ ଜନତା ଦଳର ଆସନ ସଂଖ୍ୟା କମିବ। ଏବଂ ଏହା ୬୨ରୁ ୮୦ ମଧ୍ଯରେ ସୀମିତ ରହିବ। ସେହିପରି କଂଗ୍ରେସ ୫ରୁ ୮ ଆସନ ଜିତିପାରେ ବୋଲି ଆକଳନ କରିଛି ସଂପୃକ୍ତ ସଂସ୍ଥା।

ଯଦି ଭୋଟ୍ ପ୍ରତିଶତ ଦେଖିବା ତାହେଲେ ବିଜେପି ୪୧ ପ୍ରତିଶତ ରହିଥିବା ବେଳେ ଶାସକ ଦଳ ବିଜେଡି ୪୨ ପ୍ରତିଶତ ଏବଂ କଂଗ୍ରେସ ୧୨ ଓ ଅନ୍ୟାନ୍ୟ ୪ ପ୍ରତିଶତ ଭୋଟ୍ ପାଇବେ ବୋଲି ଆକଳନ କରାଯାଇଛି।

ତେବେ ଶାସକ ଦଳ ବିଜେଡି ଗତକାଲିଠାରୁ ଏକଜିଟ୍ ପୋଲ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ଆସୁଛି। ଦଳ କହିଛି ପୂର୍ବରୁ ମଧ୍ୟ ଓଡି଼ଶା ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍ ପୋଲ ହୋଇଛି। ତାହା ଭୁଲ ବୋଲି ପ୍ରମାଣିତ ହୋଇଛି। ଏଥର ମଧ୍ୟ ସମାନ ହେବ। ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଜେଡି ନିଜର ସର୍ଭେ ଓ ଆକଳନ କରିଛି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଦଳ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଅତି କମରେ ୧୨ଟି ଆସନରେ ବିଜୟୀ ହେବ।

ସେହିପରି ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେଡି ଚମତ୍କାର ପ୍ରଦର୍ଶନ କରି ଅତି କମରେ ତିନି ଚତୁର୍ଥ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ବିଜେଡି ନେତା କହିଛନ୍ତି।

ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏକଜିଟ୍ ପୋଲର ସଂଖ୍ୟାକୁ ବିଶ୍ୱାସ କରାଯାଏ, ତେବେ ବିଜେଡିକୁ ଝଟକା ଲାଗିପାରେ। ଏବିପି-ସି ଭୋଟର ଏକଜିଟ୍ ପୋଲ୍ ଅନୁଯାୟୀ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପିକୁ ୧୭ରୁ ୧୯ସେଟ୍ ମିଳିଥିବା ବେଳେ ବିଜେଡି ମାତ୍ର ୧ରୁ ୩ଟି ଆସନରେ ସୀମିତ ରହିଛି।

Comments are closed.