Latest Odisha News

ସତ ହେଲା ଅରୁଣାଚଳ ପ୍ରଦେଶ ଏବଂ ସିକିମ୍ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ରିପୋର୍ଟ!

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳାଫଳ। ହେଲେ ଏକଜିଟ ପୋଲର ବିଶ୍ବସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକଜିଟ ପୋଲକୁ ମୋଦୀ ମିଡିଆର ଫଳାଫଳ ବୋଲି କହି କଟାକ୍ଷ କରିଥିବା ବେଳେ ଓଡ଼ିଶାରେ ବିଜେଡି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛି ଯେ ଭୁଲ୍ ପ୍ରମାଣିତ ହେବ ଏକଜିଟ ପୋଲ ରିପୋର୍ଟ। ଏହାରି ଭିତରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଯେଉଁଥିରେ ଏକଜିଟ ପୋଲର ଫଳାଫଳ ସତ ହୋଇଥିବା ଦେଖିବାକୁ ମିଳିଛି।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ୬୦ଟି ଆସନରୁ ୪୬ଟିରେ ବିଜୟୀ ହୋଇଛି। ନ୍ୟାସନାଲ ପିପୁଲ ପାର୍ଟି (ଏନପିଇପି)କୁ ୫ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)କୁ ୩ଟି, ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ)କୁ ୨ଟି ଏବଂ କଂଗ୍ରେସ ଦଳକୁ ଗୋଟିଏ ଆସନ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ୱାଙ୍ଗଲାମ୍ ସାଭିନ୍ ଖୋନ୍ସା ଆସନରେ ବିଜୟୀ ହୋଇଛନ୍ତି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ପୂର୍ବାନୁମାନ କରିଥିଲା ଯେ ୪୪ରୁ ୫୧ ଟି ଆସନ ବିଜେପି ହାତକୁ ଯାଇପାରେ ଏବଂ କଂଗ୍ରେସକୁ ୧-୪ ଟି ଆସନ ମିଳିପାରେ । ଅନ୍ୟପକ୍ଷରେ ଏନପିପିକୁ ୨ରୁ ୬ ଟି ଏବଂ ଅନ୍ୟମାନଙ୍କୁ ୨-୬ ଟି ଆସନ ମିଳିପାରେ। ଯାହା ଏକ ପ୍ରକାର ସତ ହୋଇଛି ବୋଲି ଦେଖିବାକୁ ମିଳିଛି।

ସିକିମ ନିର୍ବାଚନ ଫଳାଫଳ

ଏଠାରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ପ୍ରକାର କ୍ଲିନ୍ ସୁଇପ କରିଛି। ୩୨ ବିଧାନସଭା ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି ଶାସକ ଦଳ। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।

ଇଣ୍ଡିଆ ଟୁଡେ-ଆସିକ୍ସ ମାଇ ଇଣ୍ଡିଆର ସର୍ଭେ ଅନୁଯାୟୀ ସିକିମରେ ଶାସକ ଏସକେଏମକୁ ୨୪ରୁ ୩୦ ଟି ଆସନ ମିଳିବ ବୋଲି ଆକଳନ ହୋଇଥିଲା। ବିଜେପିକୁ ୦ରୁ ୨ଟି ଆସନ ମିଳିପାରେ। ଏସ୍ ଡିଏଫ୍ ପ୍ରାୟ ୧୩ଟି ଆସନ ହରାଇ ୧ରୁ ୩ଟି ଆସନ ହରାଇପାରେ। ଯାହା ଏକ ପ୍ରକାର ସତ ହୋଇଛି।

Comments are closed.