Latest Odisha News

BREAKING NEWS

GST Rates: ଜିଏସଟି ହାରରେ ସମ୍ଭାବ୍ୟ ହ୍ରାସ, ଶସ୍ତା ହୋଇପାରେ ଯାନବାହାନ

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଦେଶରେ ଯାନବାହାନ ବିକ୍ରୟରେ ହ୍ରାସ ଦେଖାଦେଇଛି। ଚାହିଦା ହ୍ରାସ ଯୋଗୁଁ ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା ଏବଂ ଟାଟା ମୋଟର୍ସ ଭଳି ପ୍ରମୁଖ ଅଟୋମୋବାଇଲ କମ୍ପାନୀଗୁଡ଼ିକର ପାଇକାରୀ ବିକ୍ରୟ ଯଥେଷ୍ଟ ହ୍ରାସ ପାଇଛି। ଅନେକ ସମ୍ଭାବ୍ୟ କ୍ରେତା GST ହାର ସଂଶୋଧନ ପାଇଁ ଅପେକ୍ଷା କରି ଏବଂ ସେମାନଙ୍କର କ୍ରୟକୁ ସ୍ଥଗିତ ରଖିବା ଯୋଗୁଁ ଯାନବାହାନ ବିକ୍ରିରେ ଏହି ହ୍ରାସ ଘଟିଛି। ଘରୋଇ ବଜାରରେ ଦେଶର ସର୍ବବୃହତ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ଯାତ୍ରୀବାହୀ ଯାନର ପାଇକାରୀ ବିକ୍ରୟ ଗତ ମାସରେ ୮ ପ୍ରତିଶତ ହ୍ରାସ ପାଇ ୧,୩୧,୨୭୮ ୟୁନିଟ୍ ହୋଇଛି, ଯେତେବେଳେ ଏକ ବର୍ଷ ପୂର୍ବେ ସମାନ ମାସରେ ୧,୪୩,୦୭୫ ଯାନ ବିକ୍ରି ହୋଇଥିଲା।

ଅନ୍ୟପଟେ ସାମଗ୍ରୀ ଏବଂ ସେବା ଟିକସ ହାରରେ ସମ୍ଭାବ୍ୟ ହ୍ରାସ କାର୍ଯ୍ୟକାରୀ ହେଲେ ଭାରତୀୟ ଅଟୋମୋବାଇଲ ଶିଳ୍ପରେ ଚାହିଦାରେ ଏକ ବିରାଟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ପ୍ରସ୍ତାବିତ ହାର ପରିବର୍ତ୍ତନ ଆସନ୍ତା ମାସରେ ଘୋଷଣା ହେବାର ସମ୍ଭାବନା ଅଛି । ଘୋଷଣା ପରେ ଦୁଇ ଚକିଆ ଯାନ ଏବଂ ଛୋଟ ଯାତ୍ରୀବାହୀ ଯାନ ସବୁଠାରୁ ଅଧିକ ଲାଭବାନ ହେବାର ସମ୍ଭାବନା ଅଛି। ଅନ୍ତର୍ଜାତୀୟ ଏଜେନ୍ସି ଜେଫେରିଜ୍ ଏହି ଦାବି କରିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗଠିତ GST ପରିଷଦ ସେପ୍ଟେମ୍ବର ୨-୪ ରେ GST ହାରର କେବଳ ଦୁଇଟି ସ୍ଲାବ୍ ରଖିବା ପ୍ରସ୍ତାବ ଉପରେ ଆଲୋଚନା କରିବ। ଏଥିରେ, କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ହାରରେ GST ହାର ଲାଗୁ କରିବାକୁ ପ୍ରସ୍ତାବ ଦିଆଯିବ। ବର୍ତ୍ତମାନ, GSTର ୪ ଟି ସ୍ଲାବ୍ ଅଛି, ଯେଉଁଥିରେ ୫, ୧୨, ୧୮ ଏବଂ ୨୮ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଏ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯାନବାହନ ଉପରେ ୨୮ ପ୍ରତିଶତ GST ଲାଗୁ ହୁଏ। ଏହା ବ୍ୟତୀତ, ବିଭିନ୍ନ ଯାନବାହନ ଉପରେ ୧ ପ୍ରତିଶତରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିପୂରଣ ସେସ୍ ପୃଥକ ଭାବରେ ଆଦାୟ କରାଯାଏ।

ଯାନର ଇଞ୍ଜିନ, କ୍ଷମତା ଏବଂ ଲମ୍ବ ଉପରେ ନିର୍ଭର କରି, ଛୋଟ ପେଟ୍ରୋଲ ଯାନ ପାଇଁ ମୋଟ ଟିକସ ୨୯ ପ୍ରତିଶତ ଥିବାବେଳେ SUV ପାଇଁ ଏହା ୫୦ ପ୍ରତିଶତରେ ପହଞ୍ଚିଥାଏ। ତଥାପି, ଇଲେକ୍ଟ୍ରିକ୍ ଯାନ ଉପରେ GST କେବଳ ୫ ପ୍ରତିଶତ ହାରରେ ଆଦାୟ କରାଯାଏ।

ରିପୋର୍ଟ ଅନୁଯାୟୀ, ଜିଏସଟି ହାର ହ୍ରାସ ଅଧିକାଂଶ ଯାନ ପାଇଁ ଟିକସ ସ୍ଲାବ୍ ୨୮ପ୍ରତିଶତରୁ ୧୮ପ୍ରତିଶତ ଏବଂ ଟ୍ରାକ୍ଟର ପାଇଁ ୧୨ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ । ଯାହାଦ୍ବାରା ଯାନବାହନର ମୂଲ୍ୟରେ ୬ରୁ ୮% ହ୍ରାସ ଘଟିବ । ଏହାଦ୍ବାରା ଅଟୋମୋବାଇଲ୍ସ ବଜାର ସୁଲଭତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆସିବ ଏବଂ ଚାହିଦା ମଧ୍ୟ ବୃଦ୍ଧି ପାଇବ । ଦୁଇଚକିଆ ଯାନ, ଯାହା ଉପରେ ବର୍ତ୍ତମାନ ୨୮-୩୧ ପ୍ରତିଶତ ଟିକସ ଲାଗୁ ହୋଇଛି, ଏବଂ ୪ ମିଟରରୁ କମ୍ କାର, ଯାହା ଉପରେ ପ୍ରାୟ ୨୯-୩୧ ପ୍ରତିଶତ ଟିକସ ଲାଗୁ ହୋଇଛି, ସେଗୁଡ଼ିକ ସବୁଠାରୁ ଅଧିକ ଲାଭବାନ ହେବେ ବୋଲି ଆଶା କରାଯାଉଛି ।

ବଡ଼ ଏସୟୁଭି, ଯାହା ଉପରେ ବର୍ତ୍ତମାନ ୪୫ ରୁ ୫୦ ପ୍ରତିଶତ ଟିକସ ଲାଗୁ ହୋଇଛି ସେଗୁଡ଼ିକୁ ମଧ୍ୟ କିଛି ଆଶ୍ୱସ୍ତି ମିଳିପାରିବ ଏବଂ ପ୍ରଭାବୀ ହାର ୪୦ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଅଟୋ ଶିଳ୍ପରେ ଗତ କିଛି ମାସ ମଧ୍ୟରେ ଚାହିଦା ହ୍ରାସ ପାଇଛି, ଏପ୍ରିଲ-ଜୁଲାଇ ମାସରେ ଦୁଇ ଚକିଆ ଏବଂ ଯାତ୍ରୀବାହୀ ଯାନ ପଞ୍ଜିକରଣ ବର୍ଷ-ବର୍ଷ ତୁଳନାରେ କେବଳ ୨ ରୁ ୩ ପ୍ରତିଶତ ବୃଦ୍ଧି ପାଇଛି । ତଥାପି ଆକଳନ କରାଯାଉଛି ଯେ ଆୟକର ହ୍ରାସ, ନଗଦ ପ୍ରବାହ ସହଜ କରିବା ଏବଂ ସମ୍ଭାବ୍ୟ ଜିଏସଟି ହ୍ରାସ ମଧ୍ୟରେ ଉତ୍ସବ ଋତୁରେ ଗ୍ରାହକଙ୍କୁ ସୁହାଇବ ।

Comments are closed.