Latest Odisha News

BREAKING NEWS

ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍

ବିଶେଷଜ୍ଞ ଟିମରେ ମହୀଶୂର ଚିଡ଼ିଆଖାନା ଓ ଓୟୁଏଟିର ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଠିତ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ବୈଷୟିକ କମିଟି ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ‘ହ୍ୟାଣ୍ଡ-ରିୟରିଂ ସେଣ୍ଟର’ ପରିଦର୍ଶନ କରିଛନ୍ତି। ଏଥିସହିତ ଉଦ୍ଧାର କରାଯାଇଥିବା ୫ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସ୍ଥିତିର ଯାଞ୍ଚ କରିଛି।

ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ଦ୍ୱାରା ଗଠିତ ଏହି କମିଟିରେ ମହୀଶୂର ଚିଡ଼ିଆଖାନାର ଡାକ୍ତର ଶଶିଧର ଓ ଡାକ୍ତର ମଦନ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଅଧୀନସ୍ଥ ‘ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥ’ (CWH)ର ବନ୍ୟପ୍ରାଣୀ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ଆଚାର୍ଯ୍ୟ ସାମିଲ ଅଛନ୍ତି।

ସେହିପରି ମଙ୍ଗଳବାର ଦିନ କ୍ୱାରେଣ୍ଟାଇନରେ ଥିବା ପ୍ରାଣୀମାନଙ୍କର ଯାଞ୍ଚ କରାଯିବା ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ, ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ ଏବଂ ଉଦ୍ୟାନର ବରିଷ୍ଠ ପଶୁ ଚିକିତ୍ସା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ମିରାସେଙ୍କ ସୂଚନା ଅନୁଯାୟୀ, ବିଶେଷଜ୍ଞମାନେ ନିର୍ଦ୍ଧାରିତ ଜୈବ-ସୁରକ୍ଷା ନିୟମାବଳୀ (biosecurity protocols) ପାଳନ କରି କ୍ୱାରେଣ୍ଟାଇନ୍ ଏନକ୍ଲୋଜର ମଧ୍ୟରେ ପ୍ରବେଶ କରିଥିଲେ ଏବଂ ମୂଲ୍ୟାୟନର ଅଂଶବିଶେଷ ଭାବରେ ସମସ୍ତ ୫ ଓରାଙ୍ଗଉଟାନଙ୍କ ଶାରୀରିକ ପରୀକ୍ଷା କରିଥିଲେ। ତେବେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବା ପରେ ସୁପାରିଶ ସହିତ ଏହାର ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ।

ଉଲ୍ଲେଖନୀୟ ଯେ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଏକ ଉପକୂଳବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଉକ୍ତ ୫ ଓରାଙ୍ଗଉଟାନ ଶାବକଙ୍କୁ ନନ୍ଦନକାନନ ଅଣାଯାଇଥିଲା। ଏମାନେ ଭାରତର ମୂଳ ବାସିନ୍ଦା ନ ହୋଇଥିବା ଏହି ବିରଳ ପ୍ରାଣୀମାନଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଉପରେ ଦିନରାତି ଭିଡିଓ ମାଧ୍ୟମରେ ନଜର ରଖାଯାଇଛି ଏବଂ ସେମାନେ ପଶୁ ଚିକିତ୍ସକ ଓ ପଶୁପାଳକମାନଙ୍କ ଠାରୁ ନିୟମିତ ଚିକିତ୍ସାଗତ ତଦାରଖ ଓ ବିଶେଷ ଯତ୍ନ ଲାଭ କରୁଛନ୍ତି।

Leave A Reply

Your email address will not be published.