Latest Odisha News

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ହୁତୁହୁତୁ ହୋଇ ଜଳିଗଲା ୨ଟି ବଗି

ଚେନ୍ନାଇ: ପୁଣି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି । ପରସ୍ପର ମଧ୍ୟରେ ଧକ୍କା ଫଳରେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଦୁଇଟି ବଗି ସଂପୂର୍ଣ୍ଣ ଜଳିଯାଇଛି ।

ଚେନ୍ନାଇ ଡିଭିଜନର ଗୁମ୍ମିଦିପୋଣ୍ଡି ନିକଟରେ ଥିବା କାଭାରାପେଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏହି ଯାତ୍ରୀବାହୀ ଟ୍ରେନ୍, ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କାହାର ବି ମୃତ୍ୟୁ ହୋଇନଥିବା ବେଳେ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ ଡାକ୍ତଖାନାକୁ ଯାଇ ଆହତମାନଙ୍କୁ ଭେଟିଛନ୍ତି । ଏହାସହିତ ଅନ୍ୟଯାତ୍ରୀ ମାନଙ୍କୁ ବସ୍ କିମ୍ବା ଅନ୍ୟ ଟ୍ରେନ୍ ଦ୍ବାରା ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କବରପେଟ୍ଟାଇ ଷ୍ଟେସନରୁ ଯାତ୍ରୀବାହୀ ଟ୍ରେନଟି ବାହାରିଥିବା ବେଳେ କିଛି ସମୟ ପରେ ଟ୍ରାକରେ ସମସ୍ୟର ସମ୍ମୁଖୀନ ହୋଇଥିଲା । ଫଳରେ ଏହା ଲୁପ ଲାଇନରେ ପଶିଯାଇଥିଲା । ସେଠାରେ ପୂର୍ବରୁ ଗୋଟିଏ ମାଲବାହୀ ଟ୍ରେନ୍ ଛିଡା ହୋଇଥିବା ବେଳେ ଏହାକୁ ଏକ୍ସପ୍ରେସ୍ ଟ୍ରେନ୍ ଜୋର ଧକ୍କା ହୋଇଥିଲା । ଫଳରେ ଏହାର ୨ରୁ ୩ଟି ବଗି ଜଳିଯାଇଛି ।

Leave A Reply

Your email address will not be published.