Latest Odisha News

କାମ ଚାପରୁ ମୃତ୍ୟୁ ? ମାଆ ମାଗୁଛି ନ୍ୟାୟ

ପୁନେ: ଆଜିର ସମୟରେ ଯୁବପିଢି ଘରୋଇ କମ୍ପାନୀ ଆଡକୁ ଅଧିକ ଆକୃଷ୍ଟ ହେଉଛନ୍ତି। ତାହା ଆଇଟି ଶିଳ୍ପ ହେଉ କିମ୍ବା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ। ୱାର୍କ ଫ୍ରମ ହୋମ କନସେପ୍ଟ ସାଙ୍ଗକୁ ପ୍ରଦୂଷଣ ମୁକ୍ତ କାର୍ଯ୍ୟକ୍ଷେତ୍ର ଯୁବପିଢିଙ୍କୁ ଏହି ସେକ୍ଟର ପ୍ରତି ଆକୃଷ୍ଟ କରୁଛି। କିନ୍ତୁ କମ୍ପାନୀରେ ଅଧିକ ଚାପ ଯୋଗୁଁ ମଧ୍ୟ କର୍ମଚାରୀ ଅଧିକ ଚିନ୍ତାଗ୍ରସ୍ତ ରୁହନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୁଏ। ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି ଯାହା ଅତି ଦୁଃଖଦ। ପ୍ରାଇଭେଟ କମ୍ପାନୀ ଇୱାଇର ଏକ କର୍ମଚାରୀ କାର୍ଯ୍ୟ ଚାପ ଯୋଗୁଁ ପ୍ରାଣ ହରାଇଛନ୍ତି। କମ୍ପାନୀର ମାଲିକଙ୍କୁ କର୍ମଚାରୀଙ୍କୁ ଏହାର ଜବାବ ମାଗିଛନ୍ତି।

ଇୱାଇ (EY) କମ୍ପାନୀ ହେଉଛି ଦେଶର ସବୁଠାରୁ ବଡ ଆକାଉଣ୍ଟିଂ ସଂସ୍ଥା। ଏଠାରେ କମ୍ପାନୀର ଜଣେ କର୍ମଚାରୀ ଚାପଗ୍ରସ୍ତ ଯୋଗୁଁ ଜୀବନ ହରାଇଛନ୍ତି। ସେ ଚାରି ମାସ ପୂର୍ବରୁ ଏହି ଚାକିରିରେ ଯୋଗ ଦେଇଥିଲେ। କାମ ଭାର ଅଧିକ ହେବା ଯୋଗୁଁ ସେ ଅନେକ ଦିନ ଧରି ଚିନ୍ତା ଗ୍ରସ୍ତରେ ରହୁଥିଲେ। କେରଳର ୨୬ ବର୍ଷୀୟା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ (CA) ଅନ୍ନା ସେବେଷ୍ଟିଆନ୍ ପେରାଇଲ୍‌‌ଙ୍କୁ ତାଙ୍କ କମ୍ପାନୀ ପକ୍ଷରୁ ଦେଇଥିବା ଅତ୍ୟଧିକ କାର୍ଯ୍ୟ ଯୋଗୁଁ ସେ ସର୍ବଦା ଚାପଗ୍ରସ୍ତ ହୋଇ ରହୁଥିଲେ। ସେ ମାନସିକ ଭାବେ ଭାଙ୍ଗିପଡିଥିଲେ। ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ପ୍ରସଙ୍ଗରେ ପେରାଇଲଙ୍କ ମାଆ ଅନୀତା ଅଗଷ୍ଟିନ୍ କମ୍ପାନୀ ମାଲିକ ରାଜୀବ ମେମାନୀଙ୍କୁ ମେଲ ଜରିଆରେ ଏହାର ଜବାବ ମାଗିଛନ୍ତି।

ଅନ୍ନା ସେବେଷ୍ଟିଆନ୍ ପେରାଇଲ ୨୦୨୩ରେ ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ମାର୍ଚ୍ଚ ୨୦୨୪ରେ, ସେ EY ପୁନେ କମ୍ପାନୀରେ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଏହା ଅନ୍ନାଙ୍କର ପ୍ରଥମ କାମ ଥିଲା ଏବଂ ସେ ନିଜ କାର୍ଯ୍ୟକୁ ଯତ୍ନର ସହ କରୁଥିଲେ। ଦିନରାତି କମ୍ପାନୀ ଦ୍ୱାରା ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସମାପ୍ତ କରିବାରେ ସେ ବ୍ୟସ୍ତ ରହୁଥିଲେ, କିନ୍ତୁ ସେ ଏଥିଯୋଗୁଁ ସବୁବେଳେ ଶାରୀରିକ ଏବଂ ମାନସିକ ସ୍ତରରେ ଚାପଗ୍ରସ୍ତ ରହୁଥିଲେ।

ପେରାଇଲଙ୍କ ମାଆ ଅଭିଯୋଗ କରିଛନ୍ତି ଯେ କମ୍ପାନୀରେ ଯୋଗଦେବାର ଚାରିମାସ ପରେ ସେ କାର୍ଯ୍ୟଭାର ହେତୁ ବହୁତ ଚିନ୍ତାରେ ରହୁଥିଲେ। ସେ ନିଦ୍ରାହୀନ ଏବଂ ଚାପଗ୍ରସ୍ତ ରହୁଥିଲେ। କିନ୍ତୁ ଅତ୍ୟଧିକ ପରିଶ୍ରମ ହେତୁ ସେ ନିଜକୁ ପ୍ରମାଣ କରିବାକୁ କଠିନ ପରିଶ୍ରମ ମଧ୍ୟ କରୁଥିଲେ। ଅବଶ୍ୟ, ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବରେ ଖରାପ ହେବାକୁ ଲାଗିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଲା।

ଏହି ମାମଲାରେ ତାଙ୍କ ମାଆ ଦାବି କରିଛନ୍ତି, ଅତ୍ୟଧିକ କାର୍ଯ୍ୟ ହେତୁ ଅନେକ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଅତ୍ୟଧିକ କାର୍ଯ୍ୟ ହେତୁ ପେରାଇଲ ମଧ୍ୟ କମ୍ପାନୀରୁ ଇସ୍ତଫା ଦେବେ ବୋଲି ଆଗ୍ରହ ଥିଲେ। କିନ୍ତୁ ତାଙ୍କ ମାଲିକ ତାଙ୍କୁ ଟିମର ଏକ ଅଂଶ ରହିବାକୁ ଏବଂ ସମସ୍ତଙ୍କ ମତ ପରିବର୍ତ୍ତନ କରିବାକୁ କହିଥିଲେ। ଯେତେବେଳେ ତାଙ୍କ ମାଲିକ ଏକ ମିଟିଂ କରନ୍ତି, ଆଲୋଚନା ଘଣ୍ଟା ଘଣ୍ଟା ଧରି ଚାଲେ। ପରେ ସନ୍ଧ୍ୟାରେ ତାଙ୍କୁ ଅଧିକ କାମ ଦିଆଯାଏ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍ ଝିଅ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏବଂ ବେଳେବେଳେ ଛୁଟିଦିନରେ ମଧ୍ୟ କାମ କରୁଥିଲେ।

ପେରାଇଲଙ୍କ ମାଆ କମ୍ପାନୀର ମୁଖ୍ୟ ମାଲିକଙ୍କୁ ଏକ ଇମେଲ ପଠାଇ ତାଙ୍କ ଝିଅର ମୃତ୍ୟୁର କାରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଥିଲେ ଯେ ତାଙ୍କ ଝିଅର ଅବସ୍ଥା ବିଗିଡୁଥିଲା। ସେ କାମରୁ ଫେରିବା ପରେ ଏତେ ଥକି ଯାଉଥିଲେ ଯେ ସେ ପୋଷାକ ନବଦଳାଇ ଶୋଇପଡୁଥିଲେ। ବିଭିନ୍ନ ପ୍ରକାରର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କ ମୋବାଇଲରେ କେବଳ ମେସେଜ ଆସୁଥିଲା। କାର୍ଯ୍ୟଟି ଠିକ୍ ସମୟରେ ଶେଷ କରିବା ପାଇଁ ସେ ଦିନରାତି କଠିନ ପରିଶ୍ରମ କରୁଥିଲେ। ତାଙ୍କୁ ଚାକିରୀ ଛାଡିବାକୁ ମଧ୍ୟ କୁହାଯାଇଥିଲା କିନ୍ତୁ ସେ ହାର ମାନିବାକୁ ଚାହୁଁନଥିଲେ। ପରିଶେଷରେ ଚାପ ହେତୁ ସେ ଏହି ଦୁନିଆ ଛାଡି ଚାଲିଗଲେ। ଏଥିପାଇଁ ଦାୟୀ କିଏ ବୋଲି କମ୍ପାନୀ ମାଲିକଙ୍କୁ ଜବାବ ମାଗିଛନ୍ତି ମୃତ କର୍ମଚାରୀଙ୍କ ମାଆ।

Leave A Reply

Your email address will not be published.