ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିୟୋଜିତ ଥିବା ପୂଜକ ବା ସେବକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରି ରହିଛି। ଏହି ଆଲୋଚନା ବର୍ତ୍ତମାନର ପରିସ୍ଥିତିରେ ନିତାନ୍ତ ଜରୁରୀ ହୋଇଛି ଏଇଥିପାଇଁ ଯେ ବର୍ତ୍ତମାନ ଶ୍ରୀମନ୍ଦିର ମଧ୍ୟରେ ଶାଳୀନତା ରକ୍ଷା କରିବାର ଆବଶ୍ୟକତା ଉପଲବ୍ଧ ହୋଇଛି। ନୀଳାଦ୍ରି ମହୋଦୟ ଗ୍ରନ୍ଥ ଅନୁସାରେ ଶ୍ରୀମନ୍ଦିରରେ ପ୍ରଥମେ ପ୍ରଭୁ ପୁରୁଷୋତ୍ତମ (ନୀଳମାଧବ ) ରୂପରେ ସେବ୍ୟ ଥିବା ବେଳେ ଦ୍ବିବିଧ ସେବା ଓ ଦ୍ବିପ୍ରକାର ସେବକ ବ୍ୟବସ୍ଥା ଥିଲା। ଏହାପରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ଦାରୁବ୍ରହ୍ମ ସ୍ୱରୂପରେ ଆବିର୍ଭାବ ହେବା ପରେ ପ୍ରଜାପିତା ବ୍ରହ୍ମା ସମସ୍ତ ଦେବତାଙ୍କୁ ମର୍ତ୍ତ୍ୟରେ ଜନ୍ମ ନେଇ ପରଂବ୍ରହ୍ମଙ୍କ ସେବା କରିବାକୁ କହିଲେ। ତେଣୁ ପୂଜକ ବା ସେବକ ଏବେ ବହୁବିଧ ହୋଇଗଲେ। କିଛି ପରମ ନିଷ୍ଠାର ସହିତ ଦେବତୁଲ୍ୟ ସ୍ଵଭାବ ଧାରଣ କରି ପୂଜକ ପାଲଟିଲେ ବାକି କିଛି ନିଜର ପ୍ରତି ପୋଷଣ ନିମିତ୍ତ ଏହାକୁ ବୃତ୍ତି ରୂପେ ଗ୍ରହଣ କଲେ ତ କିଛି ନିଜର ପରମ୍ପରା ବଜାୟ ରଖିବାକୁ ସେବା କାର୍ଯ୍ୟକୁ ଆପଣେଇଲେ । ଏହି ଦୃଷ୍ଟିରୁ ବର୍ତ୍ତମାନ ସମୟରେ ପୂଜକ ତଥା ସେବକମାନଙ୍କ ପ୍ରକୃତି ଓ ଲକ୍ଷଣ ବିଷୟରେ ସଚେତନ ହେବାକୁ ପଡୁଛି। ପରଂବ୍ରହ୍ମଙ୍କ ପ୍ରକୃତ ପୂଜକ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରି ସ୍ନାନ ଶୌଚ ଶେଷ କରିବେ। ମସ୍ତକରେ ଚନ୍ଦନ ଆଦି ତିଳକ ଧାରଣ କରିବେ, ତତ୍ପରେ ପାଟ, ମୁକୁଟା ଅବା ସ୍ଲିକ ବସ୍ତ୍ର କିଛି ନଥିଲେ ପରିଷ୍କାର ସରୁ ଧଡି ଥିବା ଶୁକ୍ଳ ବର୍ଣ୍ଣର ଧୋତି ଚାଦର ପରିଧାନ କରିବେ। କୌଣସି ଭୋଜନ ନକରି କାୟ ମନୋବାକ୍ୟରେ ମହାପ୍ରଭୁଙ୍କ ସେବା ପୂଜାରେ ନିଜକୁ ନିୟୋଜିତ କରିବେ। ଆଉ ଏକ ମହାନ କଥା ହେଲା ଏମାନେ ଶାସ୍ତ୍ରଜ୍ଞ ଓ ବ୍ରହ୍ମ ଜ୍ଞାନୀ ହେବା ଆବଶ୍ୟକ। ଏହା ଅସମ୍ଭବ ନୁହେଁ ଆଜି ବି ଏଭଳି ନିଷ୍ଠାବାନ ପୂଜକ ଓ ସେବକ ଅଛନ୍ତି ଯେଉଁ ମାନେ ଦେବତା ତୁଲ୍ୟ। ଆଗାମୀ ଅଧ୍ୟାୟରେ ସଠିକ ପୂଜା ଓ ସେବା ପଦ୍ଧତି ଆଲୋଚନା କରିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ଉତ୍ତମ ସଙ୍ଗେ ସଙ୍ଗ ଯାର
ସେ କରେ ଉତ୍ତମ ବେଭାର।
ହୀନ ସଙ୍ଗତେ ହୀନ ଗତି
ହସି କହନ୍ତି ଯଦୁପତି।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)
Comments are closed.