Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୪)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ନିୟୋଜିତ କରିଥିବା ପୂଜକ/ଅର୍ଚ୍ଚକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରିରହିଛି। ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେ କଳିଯୁଗର ତ୍ରାଣକର୍ତ୍ତା ଏହା ଆଜି ସାରା ପୃଥିବୀ ସ୍ୱୀକାର କଲାଣି। ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ଉପାସନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଭଗବାନ ବେଦବ୍ୟାସ କୃତ ସ୍କନ୍ଦ ପୁରାଣରେ ବର୍ଣ୍ଣିତ “ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ “ଅନୁସାରେ ଶ୍ରୀଜଗନ୍ନାଥଙ୍କ ଉପାସନା ପଦ୍ଧତି ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାରୁ ସେଥିରେ କୌଣସି ତ୍ରୁଟି ବିଚ୍ୟୁତି ହେବା ବିଧେୟ ନୁହେଁ। ଯଦି ତ୍ରୁଟି ବିଚ୍ୟୁତି ପରିଲିକ୍ଷିତ ହୋଇଥାଏ ତେବେ ତାହା ମହାପ୍ରଭୁଙ୍କୁ ଅବମାନନା ସହ ସମାନ ଓ ଏଥିରୁ ପ୍ରମାଣିତ ହେବ ଯେ ପୂଜକ /ଅର୍ଚ୍ଚକଙ୍କ ମନରେ ଭଗବତ ପ୍ରୀତି ନାହିଁ ବା କମ ଅଛି। ଏହା ପୂଜକଙ୍କ ଲକ୍ଷଣ ନୁହେଁ। କାରଣ ଯେକୌଣସି ପୂଜକ ପ୍ରଥମେ ଜଣେ ଭକ୍ତ ଓ ପରେ ପୂଜକ ବା ସେବକ ଅଟନ୍ତି। ପୂଜନ କ୍ରିୟା ଗ୍ରହଣ କରିବା ତାଙ୍କର ସେବା ବୃତ୍ତି ଗ୍ରହଣ କରିବା ସହ ସମାନ ହୋଇଥାଏ । ଏହି ସେବାବୃତ୍ତି ଗ୍ରହଣ କରିବା ପରେ ତାଙ୍କ କର୍ମରେ ଷଡ଼ଙ୍ଗ ସନ୍ନିହିତ ହୋଇଥାଏ ଓ ସେ କେବେବି ଏଥିରୁ ବିଚ୍ୟୁତ ହୋଇ ପାରିବେନି। କ୍ରିୟମାନ କର୍ମର ଷଡ଼ଙ୍ଗକୁ ସେ ଅବଶ୍ୟ ପାଳନ କରିବେ । ଏହି ଷଡ଼ଙ୍ଗଗୁଡ଼ିକ ହେଲା:-ଶ୍ରୁତି ସ୍ମୃତିର ବିଚାର, ଶ୍ରଦ୍ଧା, ସତସଙ୍ଗ, ଆରାଧ୍ୟ ଦେବତାଙ୍କ ପ୍ରତି ଭକ୍ତି, କତୃତ୍ୱ ଅଭିମାନ ପରିତ୍ୟାଗ ଓ ନିୟମ ଏହି କର୍ମ ଓ ଲକ୍ଷଣ ବିନା ଜଣେ ଉପଯୁକ୍ତ ପୂଜକ, ଅର୍ଚ୍ଚକ ବା ସେବକ ହୋଇ ପାରିବେନି ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି କିଛି ପୂଜକ ଲକ୍ଷଣ । ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଏ ଜୀବ ବନ୍ଦୀ କର୍ମ ଫାଶେ
ସାଧିବ ବନ୍ଧନ ଉଶ୍ୱାସେ।
କର୍ମ କରଣେ ଫଳ ପାଇ
ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ।

ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )

Leave A Reply

Your email address will not be published.