ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି, ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ତ ପ୍ରତିଦିନ ସ୍ନାନ କରନ୍ତି, ତେବେ ଏ ସ୍ୱତନ୍ତ୍ର ସ୍ନାନ ଉତ୍ସବ କଣ ପାଇଁ ? ଏଇଠି ଗୋଟିଏ କଥା ଆପଣଙ୍କ ଗୋଚରାର୍ଥେ ଜଣାଉଛି ଯେ ପ୍ରଭୁଙ୍କର ପ୍ରତିଦିନର ସ୍ନାନ ପ୍ରତ୍ୟକ୍ଷ ସ୍ନାନ ନୁହେଁ ଏହା ମନ୍ତ୍ର ସ୍ନାନ ବା ବିମ୍ବ ସ୍ନାନ. କିନ୍ତୁ ଆଜି ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବେ।
ସେଥିପାଇଁ ଯାତ୍ରା ଭାଗବତରେ ଉଲ୍ଲେଖ ଅଛି :
“ଜ୍ୟେଷ୍ଠମାସି ସିତେ ପକ୍ଷେ ପୌର୍ଣମ୍ୟାଂ ଜଗଦୀଶ୍ଵରମ୍ ସ୍ନାପୟେତୀର୍ଥ ତୋୟେନ ସର୍ବମଙ୍ଗଳ ସିଦ୍ଧୟେ । ”
ଅତି ପୁରାତନ କାଳରେ କାଠ ନିର୍ମିତ ମଣ୍ଡପରେ ମହାପ୍ରଭୁଙ୍କୁ ଅଧିଷ୍ଠିତ କରାଇ ଭାରତବର୍ଷର ବିଭିନ୍ନ ତୀର୍ଥ ଜଳରେ ସ୍ନାନ କରାଯାଉଥିଲା । କାଳକ୍ରମେ ସ୍ନାନ ମଣ୍ଡପ ନିର୍ମିତ ହୋଇଛି, ଓ ବିଭିନ୍ନ ତୀର୍ଥ ଜଳ ଆଣିବା ଅସୁବିଧା ହେବାରୁ ମନ୍ଦିର ମଧ୍ୟସ୍ଥ ‘ସୁନା କୂପ ‘ରୁ ୧୦୮ ଗରା ଜଳ ସଂଗ୍ରହ କରାଯାଇ ସ୍ନାନ କରାଯାଉଛି । କଥିତ ଅଛି ସ୍ନାନ ଯାତ୍ରା ସମୟରେ ଭାରତ ର ସମସ୍ତ ତୀର୍ଥ ଏହି କୂପରେ ଅବସ୍ଥାନ କରନ୍ତି. ଏହି କୂପ ବର୍ଷ ସାରା ଆବୃତ ହୋଇ ରହେ ଓ ସ୍ନାନ ପୁର୍ଣିମା ପୂର୍ଵ ଦିନ ଏହା ଖୋଲାଯାଏ ଓ ଏହାର ଜଳକୁ ଚୁଆ, ଚନ୍ଦନ, କର୍ପୁର ଆଦି ପକାଇ ଅଧିବାସ କରାଯାଏ । ସମୁଦାୟ ୧୦୮ ଗରା ଜଳରୁ ଶ୍ରୀଜଗନ୍ନାଥ ୩୫ ଗରା, ଶ୍ରୀବଲଭଦ୍ର ୩୩ ଗରା, ମା ସୁଭଦ୍ରା ୨୨ ଓ ଶ୍ରୀସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରନ୍ତି । ସ୍ନାନ ପରେ ଗଜାନନ ବେଶ ହୁଅନ୍ତି, ଏହାର ବିଷଦ ବିବରଣୀ କାଲିକୁ ଜାଣିବା, ଆଜି ଆକୁଳ କଣ୍ଠରେ ପ୍ରାର୍ଥନା କରିବା ।
” ଚାଲ ସଖି ଆମେ ଦର୍ଶନ କରିବା ନୀଳଗିରି କାଳିଆଙ୍କୁ,
କେଉଁ ସୁରପତି ବେଶ କରିଅଛି, ଗିରିବର ତୋଳିଆଙ୍କୁ । “
ଜୟ ଜଗନ୍ନାଥ
Comments are closed.