8ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପ୍ରତିମା ଜ୍ଞାନ ନକରି ପରମାତ୍ମା ସ୍ୱରୂପରେ ବିବେଚନା କରିବା । ଏହା ବାରମ୍ବାର କହିବାର ତାତ୍ପର୍ଯ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ବ୍ୟାପକତାକୁ ସର୍ବୋତ୍ତ ଭାବେ ସ୍ୱୀକାର କରିବା। ଅରୂପରେ ରୂପର ଦର୍ଶନ କରିବା କିଛି ବିଲକ୍ଷଣ ନୁହେଁ। କିନ୍ତୁ ଏହା ଶ୍ରୀଜଗନ୍ନାଥ ତତ୍ତ୍ୱର ସଠିକ ବିଶ୍ଳେଷଣ କରିପାରେନି। ଆମେ ଆଗରୁ ଜାଣିଛେ ଶ୍ରୀଜଗନ୍ନାଥ କହିଲେ ବା ଦର୍ଶନ କଲେ ଆମ ସମ୍ମୁଖକୁ ତାଙ୍କର ତିନୋଟି ସ୍ୱରୂପ ଆସେ। ଯଥା : କର୍ମରପ୍ରତୀକ ଶ୍ରୀ ବଲଭଦ୍ର(ହସ୍ତରେ ଲଙ୍ଗଳ ଆୟୁଧ ), ଜ୍ଞାନର ପ୍ରତୀକ ହିରଣ୍ୟଗର୍ଭା ମା ସୁଭଦ୍ରା, ଶେଷରେ ଭକ୍ତିର ପ୍ରତୀକ ଶ୍ରୀଜଗନ୍ନାଥ(ଯୁଗେ ଯୁଗେ ଭକ୍ତ ଓ ଭକ୍ତି କୁ ଆପଣେଇ ଥିବା ପରଂବ୍ରହ୍ମ )।
ହଁ, ନିଜ ଆୟୁଧକୁ ମଧ୍ୟ କାଳର ପ୍ରତୀକ କରି ପାର୍ଶ୍ଵରେ ସ୍ଥାନ ଦେଇଛନ୍ତି। ଆପଣ ମଣିଷ ମଧ୍ୟରେ ବିରାଜିତ ତ୍ରିଗୁଣ ସତ୍ତ୍ୱ, ରଜ ଓ ତମକୁ ଶ୍ରୀଜଗନ୍ନାଥ ତତ୍ତ୍ୱ ଆଧାରରେ ବିଚାର କଲେ ଆମର କର୍ମ ସର୍ବଦା ତମ ଆଚ୍ଛାଦିତ। ତେଣୁ ଶ୍ରୀବଲଭଦ୍ର ଏଠି ତମ ଗୁଣ ଧାରଣ କରିଛନ୍ତି। ଜ୍ଞାନ (ସାଂସାରିକ ଜ୍ଞାନ ବ୍ରହ୍ମ ଜ୍ଞାନ ନୁହେଁ )ରଜ ଗୁଣକୁ ଆଧାର କରେ। ମା ସୁଭଦ୍ରା ରଜ ଗୁଣୀ ପ୍ରକୃତି ସ୍ୱରୂପିଣୀ। କିନ୍ତୁ ଭକ୍ତି (ସମ୍ପୂର୍ଣ୍ଣ ସମର୍ପଣ ଭାବ )କେବଳ ସତ୍ତ୍ୱ ଗୁଣକୁ ଆଧାର କରି ଜାଗ୍ରତ ହୁଏ। ଶ୍ରୀଜଗନ୍ନାଥ ତେଣୁ ସତ୍ତ୍ୱ ଗୁଣର ପ୍ରତୀକ। ଏଠି ଦାର୍ଶନିକ ଦୃଷ୍ଟି କୋଣରୁ ବିଚାର କଲେ ମଧ୍ୟ ସେହି ଗୋଟିଏ ବିଷୟ ମନକୁ ଆସିବ ଯେ ସତରେ ପ୍ରଭୁଙ୍କର ଏ ତ୍ରିମୁର୍ତ୍ତୀ ସ୍ୱରୂପ ଜଗତର ସମ୍ପୂର୍ଣ୍ଣତାକୁ ବୁଝାଏ। ଏଠି ଜୀବ, ପ୍ରକୃତି ଓ ପରମାତ୍ମା ଏକାକାର ହୋଇଛନ୍ତି। ଯଦି ଆମ ଆରାଧ୍ୟ ସ୍ୱୟଂ ତ୍ରିଗୁଣର ପ୍ରତୀକ ସାଜି ମାନବୀୟ ଲୀଳା କରୁଛନ୍ତି, ତେବେ ଆମେ ନକରିବା କାହିଁକି ? ଏହା କହିବାର ଉଦ୍ୟେଶ ହେଲା ଆଜି ମହାଳୟା, ଅଶ୍ୱିନ କୃଷ୍ଣ ପକ୍ଷ ଆରମ୍ଭରୁ ଆମେ ପିତୃପକ୍ଷ ପାଳନ କରି, ତାଙ୍କ ଉଦ୍ଦେଶ୍ୟରେ ତର୍ପଣ କରୁଛେ ଆଜି ଶ୍ରାଦ୍ଧ ଦେବା (କେହି କେହି ତିଥିରେ ଶ୍ରାଦ୍ଧ ଦେଇଛନ୍ତି )। ଶ୍ରୀଜଗନ୍ନାଥ ସଂସ୍କୃତିର ମାନ୍ୟତା ଅନୁସାରେ କେବଳ ପିତୃ ପୁରୁଷ ନୁହେଁ, ଆମେ, ଦେବତା, ମାନବ, ଋଷି, ଏପରିକି ବୃକ୍ଷ, ନଦୀ,ଇତ୍ୟାଦିଙ୍କୁ ମଧ୍ୟ ଜଳ ଦାନ କରିଥାଉ। ଗୋପବନ୍ଧୁଙ୍କ ଭାଷାରେ :
“ଆସିଛି ପିତୃ ପକ୍ଷ କରୁଛି ତର୍ପଣ
ମନ୍ତ୍ର ପାଠ ତିଳୋଦକ କରେ ସମର୍ପଣ
ପିତୃ ପିତା ମହାଗଣ ବୈଦିକ ବିଧାନେ
ଦେବଗଣେ ଋଷିଗଣେ ପୁଜେ ଜଳଦାନେ ।”
ପିତୃ ପୁରୁଷ ହୁଅନ୍ତୁ ଅବା ଦେବ, ଋଷି, ନକ୍ଷତ୍ର, ଅନ୍ତରିକ୍ଷ, ନଦୀ, ଗିରି, ଅରଣ୍ୟ ସମସ୍ତେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ତେଣୁ ପ୍ରଭୁଙ୍କ ଠାରେ ଶ୍ରଦ୍ଧା ଭକ୍ତି ଅର୍ପଣର ଅନନ୍ୟ ପରମ୍ପରା ମହାଳୟା। ଆସନ୍ତୁ ମନରୁ ସବୁ ଅହଂକାର ତେଜି ଏ ସମଗ୍ର ବିଶ୍ୱ ମୋ ଆଳୟ ବା ମହାଳୟ ହେଉ ଏତିକି ପାର୍ଥନା କରିବା। ପିତୃ ପୁରୁଷଙ୍କ ମୁକ୍ତି ସହ ନିଜ ମୁକ୍ତି କାମନା କରି ଗାଇବା :
“ହରତ୍ୱଂ ସଂସାରଂ ଦ୍ରୁତତରମସାରଂ ସୁରପତେ, ହରତ୍ୱଂ ପାପlନାଂ ବିତତୀମପରାଂ ଯାଦବପତେ
ଅହୋ ଦିନନାଥୋ ନିହିତମଚଳଂ ନିଶ୍ଚିତ ପଦମ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ।”
(ଶ୍ରୀଜଗନ୍ନାଥାଷ୍ଟକମ )
(ଦ. ତ୍ରୀ. ଉବାଚ)
ଜୟ ଜଗନ୍ନାଥ
Comments are closed.