ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିର ବା ଯେଉଁ ମନ୍ଦିରରେ ଚାରି ମୂର୍ତ୍ତି ବିରାଜମାନ କରିଛନ୍ତି ଏହା ଯେ ଲୌହ ଯୁଗ ପରେ ନିର୍ମିତ୍ତ ତାହା ଏଥିରେ ବ୍ୟବହୃତ ଲୁହା ବିମ ଓ ଲୁହା କ୍ଲିପରୁ ଅନୁମାନ କରିହୁଏ। ସାମୁଦ୍ରିକ ଲୁଣି ପବନ ଓ ବର୍ଷା ବଜ୍ରପାତ ଜନିତ କାରଣରୁ ଏହି ଲୁହାଗୁଡିକ କଳଙ୍କି ଲାଗି ନଷ୍ଟ ହେଉଥିଲା ଓ ମନ୍ଦିର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲା। ମୁଖ୍ୟ ମନ୍ଦିର (ବଡ଼ ଦେଉଳ ) ଓ ପ୍ରାୟ ୯୫ ଗୋଟି ପାର୍ଶ୍ଵ ମନ୍ଦିରରେ ତେଣୁ ବହଳ ଚୂନ ମିଶ୍ରିତ ପ୍ରଲେପ ଦିଆଗଲା । ଏହା ଦ୍ୱାରା ଫାଟଗୁଡିକ ସାମୟିକ ରୂପେ ବନ୍ଦ ହେବା ସହ ଲୁହାଗୁଡିକୁ ସୁରକ୍ଷା ମିଳିଲା । ଏଭଳି ଅନେକ ବର୍ଷ ବିତିବା ପରେ ପୁନଶ୍ଚ ବିଶେଷଜ୍ଞମାନଙ୍କ ମତ ନିଆ ଗଲା ଓ ପରୀକ୍ଷା ନିରୀକ୍ଷା ପରେ ମତ ଆସିଲା ଯେ ଏହି ମୋଟା ପଲସ୍ତରା ବା ପ୍ରଲେପ ଗୁଡିକ ନମନୀୟ ଓ ଛିଦ୍ରlଳ ହୋଇଗଲାଣି ଏବଂ ଏହା ମନ୍ଦିରମାନଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଏହିଠାରେ କହିରଖେ ଶ୍ରୀମନ୍ଦିରକୁ ଏକ ଜାତୀୟ କୀର୍ତି ରୂପେ ଭାରତ ସରକାର ତାଙ୍କର ବିଜ୍ଞପ୍ତି ସଂଖ୍ୟା ୨ / ୩୪ /୭୨ ଏମ ତାରିଖ ୩ .୨ .୧୯୭୫ ରେ ଘୋଷଣା କଲେ। ଏହା ପରେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ସମଗ୍ର ଶ୍ରୀମନ୍ଦିର ଅର୍ଥାତ କୂର୍ମବେଢ଼ା ମେଘନାଦ ପ୍ରାଚୀର ସହ ସମସ୍ତ ମନ୍ଦିର, ମଣ୍ଡପ ତଥା ମନ୍ଦିର ମଧ୍ୟରେ ଥିବା ଦୁଇଟି ଉପବନର ସୁରକ୍ଷା ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଲେ.୨୨ .୮ .୧୯୭୯ ରେ ସ୍ଵାକ୍ଷରିତ ଏକ ଚୁକ୍ତିନାମା ଅନୁସାରେ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏକ ବିଶେଷଜ୍ଞ କମିଟି ଗଠନ କଲା। ଏହି ବିଶେଷଜ୍ଞ କମିଟିକୁ ସାହାଯ୍ୟ କରିବା ପାଇଁ ଏକ ବୈଷୟିକ କମିଟି ଓ ଏକ ସ୍ଥାନୀୟ କମିଟି ମଧ୍ୟ ଗଠିତ ହେଲା ।
ତେଣୁ ବିଭିନ୍ନ ସମୟରେ ବୈଠକମାନ ବସି ଓ ସମ୍ପୂର୍ଣ ସ୍ଥିତିର ଅନୁଧ୍ୟାନ କରି ପୁରୁଣା ଚୂନ ପ୍ରଲେପ ଛଡାଇବାର ନିଷ୍ପତି ନିଆଗଲା। ସଂରକ୍ଷଣ ସହ ମୂଳ ମନ୍ଦିରରେ ହୋଇଥିବା କାରୁକାର୍ଯ୍ୟ ଗୁଡିକୁ ପୁଣି ସମସ୍ତଙ୍କ ସାମ୍ନାକୁ ଆଣିବା ଏହାର ମୂଖ୍ୟ ଲକ୍ଷ୍ୟ ରହିଥିଲା। ବିଶେଷଜ୍ଞମାନଙ୍କ ତତ୍ୱାବଧାନରେ ପ୍ରଥମେ ଭିତର ବେଢ଼l ରେ ଥିବା ମା ଲଷ୍ମୀଙ୍କ ମନ୍ଦିରରୁ ଚୂନଛଡା କାର୍ଯ୍ୟ ଆରମ୍ଭ ହେଲା। ଏହି ଛଡ଼େଇବା ପ୍ରକ୍ରିୟା ମଧ୍ୟରେ କିଛି କାରୁକାର୍ଯ୍ୟ ନଷ୍ଟ ହେବାରୁ ସେହି ସ୍ଥାନମାନଙ୍କରେ ପୁଣି ନୂତନ ସ୍ଥାପତ୍ୟ ନିର୍ମାଣ ହୋଇ ଖଞ୍ଜା ଗଲା। ସବୁ ଅନlବୃତ ଓ କଳଙ୍କି ଲଗା ଲୁହା ଚାପୁଆଣିକୁ ବାହାର କରି ସେଠାରେ ତମ୍ବା /ଇସ୍ପାତ ଚାପୁଆଣି ଲଗାଗଲା, ଏବଂ ଯୋଡ଼େଇ ସ୍ଥାନରେ ଏକ ବିଶେଷ ମିଶ୍ରଣର ଲେପ ଦିଆଗଲା ଯାହା ଫାଟ ସୃଷ୍ଟିକୁ ପ୍ରତିରୋଧ କରିବ। ମହାଲଷ୍ମୀ ଙ୍କ ମନ୍ଦିରର ପୁନଃ ଉଦ୍ଧାର କାର୍ଯ୍ୟ ସୁଚାରୁ ରୂପେ ସମ୍ପର୍ଣ୍ଣ ହେବା ପରେ, ସେହି ପଦ୍ଧତିକୁ ଆପଣେଇ ପୁଣି ମୂଖ୍ୟ ମନ୍ଦିରର ଚୂନ ପ୍ରଲେପ ହଟେଇବା କାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ଏହି କାର୍ଯ୍ୟ ଏତେ ସହଜ ନଥିଲା, କାରଣ ମୁଖ୍ୟମନ୍ଦିରରେ ଅତ୍ୟନ୍ତ ବହଳିଆ ନଅସ୍ତରର ପଲସ୍ତରା ଥିଲା। ଆଗାମୀ ଅଧ୍ୟlୟରେ ଜାଣିବା ସେ ବିଷୟରେ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ।
“ପଚିଶ ପ୍ରକୃତିକୁ ସାଧି
ପଞ୍ଚମନ କୁ ହୃଦେ ରୁନ୍ଧି ।
ପଚାଶ ପବନ ଭୁବନେ
ଇନ୍ଦ୍ରିୟ ରୋଧ ସମାପନେ ।
ଷଢ଼ ଅରିକୁ ଜୟ କରି
ନିଶ୍ଚଳେ ଅନାହତେ ଭରି ।
ନିଶ୍ଚିତ ଯୋଗରେ ଅଙ୍ଗକ l
ନୟନ ଥାଇଁ ଅବନ୍ଧକ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )