ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଉ ଏକ ବିଶେଷଣରେ ଭୂଷିତ କରି ଆଦି କବି ସାରଳା ଦାସ ନିଜ ରଚିତ ମହାଭାରତର ମଧ୍ୟ ପର୍ବରେ ଏହି ତାତ୍ତ୍ଵିକ ବିଶ୍ଲେଷଣ ଦେଇ ଲେଖିଲେ
“ଅପୂର୍ବ ସିଂହାସନକୁ ପଟାନ୍ତର ନାହିଁ,
ଅଣାକାର ବିଷ୍ଣୁ ବିଜେ କରିଛନ୍ତି ଯହିଁ,
ପ୍ରତ୍ୟକ୍ଷେ ନିରଞ୍ଜନ ତୁହି ଯେ ନିରାକାର। “
ଏଠାରେ ଉଭୟ ସଗୁଣ ସାକାର ରୁପକୁ ସ୍ୱୀକାର କରି ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପେ ବର୍ଣ୍ଣନା କରିଥିବା ସାରଳା ଦାସ, ପୁନଶ୍ଚ ଶ୍ରୀଜଗନ୍ନାଥଙ୍କୁ ଅଣାକର ଓ ନିରାକାର ବୋଲି ବର୍ଣ୍ଣନା କରିବା ଦ୍ୱୈତାଦ୍ୱୈତ ବିଚାର ଧାରାକୁ ସମର୍ଥନ ଜଣାଉଛି।ମୁଖ୍ୟତଃ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ସାକାର ସ୍ୱରୂପ ବ୍ରହ୍ମଦାରୁ ବିଗ୍ରହ ପ୍ରତିଷ୍ଠିତ ହୋଇଥିବାରୁ ଏଠାରେ ନିରାକାର ଉପାସନା ଅପେକ୍ଷା ସାକାର ଉପାସନା ବିଶେଷ ଭାବେ ପ୍ରଚଳିତ।
ଶାସ୍ତ୍ରର ବିଶେଷ ବର୍ଣ୍ଣନା କହେ “ସର୍ବସଙ୍ଗଂ ପରିତ୍ୟଜ୍ୟ ତତ୍ର ତିଷ୍ଠାମି ଦେହଭୃତ, ସୁରାସୁରାଵତିକ୍ରମ୍ୟ ବର୍ତ୍ତେଅହଂ ପୁରୁଷୋତ୍ତମେ, ସୃଷ୍ଟ୍ୟଲୟେରନାକ୍ରାନ୍ତଂ କ୍ଷେତ୍ରଂମେ ପୁରୁଷୋତ୍ତମମ୍। ” ଅର୍ଥାତ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସର୍ବସଙ୍ଗ ପରିତ୍ୟାଗ କରି, ସୁରାସୁରମାନଙ୍କୁ ଅତିକ୍ରମ କରି, ଦେହ ଧାରଣ (ଦାରୁର ଶରୀର )ପୂର୍ବକ ଏହି କ୍ଷେତ୍ରରେ ଅବସ୍ଥାନ କରିଛନ୍ତି ।ସେଥିପାଇଁ ଏହା ଅତ୍ୟନ୍ତ ଦୁର୍ଲଭ ସ୍ଥାନ ଅଟେ। ଏହି କଥା ମଧ୍ୟ ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ବର୍ଣ୍ଣିତ ହୋଇଛି। ଏଥିରେ ଏହି ସାକାର ଦେବତା ସ୍ୱୟଂ ଦାରୁବ୍ରହ୍ମଙ୍କ ଉପସ୍ଥିତି କିପରି ଅଦ୍ଭୁତ ଫଳ ଦାୟକ ତାହା ବର୍ଣ୍ଣିତ ହୋଇଛି। ଯଥାର୍ଥରେ କୁହାଯାଇଛି “ଅହୋ ସୁଦୁର୍ଲଭଂ କ୍ଷେତ୍ରମଜ୍ଞାନନାଂ ବିମୋଚକମ, କିଂ ପୁନଃ ସତତଂ ଶାନ୍ତି ବୈରାଗ୍ୟ ଜ୍ଞାନସଂଯୁତମ “(ସ୍କନ୍ଦ ପୁରାଣ )। ଅର୍ଥାତ ଜ୍ଞାନୀ ବୈରାଗୀ ଶାନ୍ତିପ୍ରିୟ ମନୁଷ୍ୟ ପକ୍ଷରେ ଯେପରି, ଠିକ ସେହିପରି ଅଜ୍ଞାନୀ, ସଂସାରୀମାନଙ୍କ ପାଇଁ ଏ କ୍ଷେତ୍ରରେ ସାକାର ଦାରୁବ୍ରହ୍ମଙ୍କ ଉପସ୍ଥିତି ଅତ୍ୟନ୍ତ ମୋକ୍ଷପ୍ରଦ।
ସେଥିପାଇଁ ଇନ୍ଦ୍ରାଦି ଦେବତାମାନେ ଏହି କ୍ଷେତ୍ରରେ ବାସ କରନ୍ତି।କେବଳ ଦେବଗଣ ନୁହଁନ୍ତି, ଏହି ସଗୁଣ ସାକାର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଗନ୍ଧର୍ବ, ଅପସରା, ପିତୃପୁରୁଷ, ଯକ୍ଷ, ରକ୍ଷ, ସିଦ୍ଧ, ମୁନି, ଋଷି ନାଗ, କିନ୍ନର, ପ୍ରଜାପତି, ତୀର୍ଥରାଜ (ମହୋଦଧି ) ପୁଣ୍ୟ ପୁଷ୍କରିଣୀ, ବିବିଧ ଶାସ୍ତ୍ର ଇତ୍ୟାଦି ଏହି କ୍ଷେତ୍ରରେ ରହିଛନ୍ତି।
ପ୍ରଭୁ ଶ୍ରୀଜଗନ୍ନାଥ ଏଠାରେ ସାକାର ହେବାର ଅନ୍ୟ ଏକ ବଳିଷ୍ଠ ଉଦାହରଣ ହେଲା, ପ୍ରଭୁଙ୍କର ମହାପ୍ରସାଦ। କାରଣ ବିଶ୍ୱାସ ଅଛି ପ୍ରଭୁ ଏଠାରେ ପ୍ରକୃତରେ ଭୋଜନ କରନ୍ତି। ଆସନ୍ତୁ ଏଭଳି ଜୀବନ୍ତ ଠାକୁରଙ୍କ ଆରାଧନା କରିବା ।
“ବନ୍ଦଇ ନାରାୟଣ ନୀଳଗିରି ନାଥ
ଚତୁର୍ଦ୍ଧା ରୁପ ଧରି ବିଜୟେ ପଦ୍ମନେତ୍ର
ୟେକଇ ମୂର୍ତ୍ତି ଯେ ଚାରିରୁପ ହୋଇ
ଜଗନ୍ନାଥ, ବଲଭଦ୍ର, ସୋହେନ୍ଦ୍ରି ସୁଦ୍ରୀସେନ ନାମ ବହି (ଆଦିକବି ସାରଳା ଦାସ )।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.