Latest Odisha News

BREAKING NEWS

ସାଧାରଣ ନିର୍ବାଚନରେ ଖୋଲାଯିବ ଆଦର୍ଶ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନ ସଭା ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନିମନ୍ତେ ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥିର କରାଯାଇଛି ।

ନିର୍ବାଚନ ସମୟରେ ନିର୍ବାଚକ ବା ଭୋଟରମାନେ ଆନନ୍ଦଉଲ୍ଲାସ ତଥା ଆଗ୍ରହର ସହ ମତଦାନ କେନ୍ଦ୍ରକୁ ଆସି ନିର୍ଭୟରେ ମତଦାନ କରିବା ହେଉଛି ଗଣତନ୍ତ୍ରର ଏକ ମହାପର୍ବ, ଯାହାକି ଦେଶର ଗର୍ବ ଓ ଗୌରବ ଅଟେ । ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପର୍ବରେ ଦେଶର ସବୁ ଶ୍ରେଣୀର ନାଗରିକମାନେ ଯଥା-ମହିଳା, ଦିବ୍ୟାଙ୍ଗ ଓ ଯୁବ ସମୁଦାୟ ଏକାକାର ହୋଇ ନିର୍ବାଚନରେ ଅଂଶଗ୍ରହଣ କରି ମନପସନ୍ଦର ନେତା ବାଛିଥାନ୍ତି ।

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ମତଦାନ କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ମଧ୍ୟରେ ପଲିଥିନମୁକ୍ତ ପଦାର୍ଥଗୁଡ଼ିକୁ ନେଇ ପରିଷ୍କାର ପରିବେଶ ମଧ୍ୟରେ ଖୋଲାଯିବା ପାଇଁ ସ୍ଥିର କରାଯାଇଛି ।

ପ୍ରତି ବିଧାନସଭା ମଣ୍ଡଳୀର ସମୁଦାୟ ମତଦାନ କେନ୍ଦ୍ରର ୨୦ ପ୍ରତିଶତ କେନ୍ଦ୍ରରେ ଆଦର୍ଶ ମତଦାନ କେନ୍ଦ୍ର ଖୋଲିବା ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରୁ ୫ ଗୋଟି ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଯୁବବର୍ଗର କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ ଓ ଗୋଟିଏ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ବର୍ଗର କର୍ମଚାରୀମାନଙ୍କୁ ନେଇ ପରିଚାଳିତ ହେବ ଓ ପ୍ରାୟ ୧୦ ପ୍ରତିଶତ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ ।

ଉପରୋକ୍ତ ତିନି ପ୍ରକାରର ଆଦର୍ଶ ମତଦାନ କେନ୍ଦ୍ରଗୁଡ଼ିକରେ ସୁରକ୍ଷାକର୍ମୀ ଠାରୁ ଆରମ୍ଭ କରି ପ୍ରିଜାଇଡିଂ ଅଫିସର ପର୍ଯ୍ୟନ୍ତ ଯଥାକ୍ରମେ- ଯୁବ, ଦିବ୍ୟାଙ୍ଗ ଓ ମହିଳା କର୍ମଚାରୀମାନେ ନିୟୋଜିତ ହୋଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଏଥି ନିମନ୍ତେ ରାଜନୈତିକ ଦଳମାନଙ୍କୁ ମଧ୍ୟ ନିର୍ବାଚନ ସମୟରେ ଆଦର୍ଶ ମତଦାନ କେନ୍ଦ୍ର ନିମନ୍ତେ ଯଥାକ୍ରମେ ଯୁବ, ଦିବ୍ୟାଙ୍ଗ ଓ ମହିଳା ପୁଲିଂ ଏଜେଣ୍ଟ ନିଯୁକ୍ତି କରିବାକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜଣାଇ ଦିଆଯାଇଛି ।

ପ୍ରତ୍ୟେକ ଆଦର୍ଶ ମତଦାନ କେନ୍ଦ୍ରକୁ ସର୍ବନିମ୍ନ ମୌଳିକ ସୁବିଧାସୁଯୋଗ ଯୋଗାଇଦେବା ସହ ୨୫ ହଜାର ଟଙ୍କାର ଅନୁଦାନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯିବ । ଆଦର୍ଶ ମତଦାନ କେନ୍ଦ୍ରଗୁଡ଼ିକୁ ଅତି ସୁନ୍ଦର ଓ ଆକର୍ଷଣୀୟ କରିବା ସହ ଭୋଟରଙ୍କୁ ମତଦାନ ନିମନ୍ତେ ଆକୃଷ୍ଟ କରିବା ପାଇଁ ଅନୁଦାନ ଅର୍ଥ ଖର୍ଚ୍ଚ କରାଯିବ ।

ପ୍ରତି ଆଦର୍ଶ ମତଦାନ କେନ୍ଦ୍ର ଗୃହଟି ପରିଷ୍କାର ଓ ସୁନ୍ଦର ହୋଇଥିବା ଦରକାର । ଭୋଟରଙ୍କୁ ସ୍ୱାଗତ ଜଣାଇବା ପାଇଁ ସୁନ୍ଦର ସ୍ୱାଗତ ତୋରଣ ନିର୍ମାଣ, ସ୍ୱାଗତ ମାସ୍‌କଟ୍‌ ପ୍ରସ୍ତୁତି, ନାଲି କାର୍ପେଟ ବିଛାଇବା ସହ ଭୋଟରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ, ସେଲ୍‌ଫି ଜୋନ୍‌ ପ୍ରସ୍ତୁତି, ଛୋଟ ପିଲାଙ୍କ ଖେଳିବା ନିମନ୍ତେ ଖେଳ ଅଗଣା ପ୍ରସ୍ତୁତି, ଭୋଟରଙ୍କ ବସିବା ନିମନ୍ତେ ସୁନ୍ଦର ଚୌକିର ବ୍ୟବସ୍ଥା, ଭୋଟରଙ୍କ ପ୍ରତି ବୁଥ୍‌ କର୍ମଚାରୀଙ୍କ ନମ୍ର ଓ ଭଦ୍ରୋଚିତ ବ୍ୟବହାର, ଦୃଷ୍ଟିହୀନ ଭୋଟରଙ୍କ ନିମନ୍ତେ ଇଭିଏମ୍‌ରେ ବ୍ରେଲିର ସୁବିଧା, ଭୋଟରଙ୍କ ପାଇଁ ଫିଡ୍‌ବ୍ୟାକ୍‌ ଫର୍ମ ଇତ୍ୟାଦି ରହିବ ।

ଏତଦ୍‌ବ୍ୟତୀତ ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟରେ ଗୋଟିଏ ଆଦର୍ଶ ମତଦାନ କେନ୍ଦ୍ରରେ ବିଦ୍ୟୁତ୍ ଯୋଗାଣ, ଜେନେରେଟର (ଷ୍ଟାଣ୍ଡବାଏ), ଦରକାର ମୁତାବକ ସିଲିଙ୍ଗ୍‌ ଫ୍ୟାନ୍‌/କୁଲର, ମହିଳା ଓ ପୁରୁଷଙ୍କ ନିମନ୍ତେ ଅଲଗା ଅଲଗା ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା, ଭୋଟରଙ୍କ ପ୍ରତୀକ୍ଷା ସ୍ଥଳ, ଦିବ୍ୟାଙ୍ଗମାନଙ୍କ ପାଇଁ ର୍ୟାମ୍ପର ବ୍ୟବସ୍ଥା, ହ୍ୱିଲ୍‌ ଚେୟାର, ସ୍ୱେଚ୍ଛାସେବକ, ଭୋଟରଙ୍କ ଜାଣିବା ନିମନ୍ତେ ଡିସ୍‌ପ୍ଲେ ବୋର୍ଡ, ଓଆର୍‌ଏସ୍‌ ପ୍ୟାକେଟ୍‌, ମେଡିକାଲ କିଟ୍‌, ଫାଷ୍ଟଏଡ୍‌ ଇତ୍ୟାଦି ସୁବିଧା ଭୋଟରମାନଙ୍କ ନିମନ୍ତେ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି ।

Leave A Reply

Your email address will not be published.