ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ଭକ୍ତଟିଏ ତାଙ୍କୁ ପ୍ରହ୍ଲାଦ ରକ୍ଷାକାରି, ରାବଣାମାରୀ, କଂସାରୀ, ଅଘ -ତମ ନାଶକାରି ତଥା ତାରଣ -ମାରଣ କାରି ଓ ସର୍ବୋପରି ଅନାଥର ନାଥ ଜଗନ୍ନାଥ ବୋଲି ସମ୍ବୋଧନ କରିଥାଏ । ବିଶେଷ ମହିମା ପ୍ରସଙ୍ଗ ହିସାବରେ ଭାଗବତରେ ଗଜଉଦ୍ଧାର ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। କିନ୍ତୁ ଏହି ପ୍ରସଙ୍ଗକୁ ପିଣ୍ଡ -ବ୍ରହ୍ମlଣ୍ଡ ତାତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ ଆମେ ଅନ୍ୟ ଏକ ଗ୍ରନ୍ଥ “ଭାଗବତ ତତ୍ତ୍ୱ ପରମାର୍ଥ” କୁ ବିଚାର
କରିବା। ବାବା ଅନନ୍ତ ଚରଣ ଦାସ ରଚିତ ଏହି ଗ୍ରନ୍ଥରେ ଜୀବର ଶରୀର ମଧ୍ୟରେ ଗଜଙ୍କୁ ଠାବ କରିଛନ୍ତି, ଯଥା :
“ମନ ଯେ ମତ୍ତ ହସ୍ତୀ ହୋଇ
ହୃଦୟ ବନସ୍ତେ ବୁଲଇ
ସୁଖ ଦୁଃଖ ଯେ ସୁତାସୁତ
ହିତ ଅହିତ ଜ୍ଞାନ ଗୋତ୍ର
ବନସ୍ତେ ଚରିବୁଲି ଯାଇ
ଜ୍ଞାନ ଅଙ୍କୁଶ ରଜ୍ଜୁ ଦେଇ
କୁମ୍ଭୀର ଅଟଇ ଇନ୍ଦ୍ରିୟ
ପ୍ରକୃତି ଗଣ ତା ତନୟ
ବସ୍ତୁ ମାନେ ତା କୂଳ ଗୋତ୍ର
ହୃଦୟ ସମୁଦ୍ରରେ ସ୍ଥିତ
ବିକ୍ରମ ନାମ ତାର ହୋଇ
ସ୍ଥିରେ ନରହି ଭ୍ରମୁ ଥାଇ
ସର୍ବଦା ବୁଲେ ଏଣେ ତେଣେ
ହିଂସା କରଇ ଜୀବଗଣେ”
ଭାଗବତ ବର୍ଣ୍ଣିତ ଗଜରାଜ ବା ଇନ୍ଦ୍ର ରୂପେ ବିବେଚିତ ହେଉଥିବା ଗଜଟି ଚିତ୍ରକୁଟ ପର୍ବତ ଉପରେ ଥିବା ଅରଣ୍ୟରେ ବାସ କରେ। କେହି କେହି ଏହି ପର୍ବତକୁ ତ୍ରିକୂଟ ପର୍ବତ ବୋଲି କହନ୍ତି। ସେହି ଚିତ୍ରକୁଟ ବା ତ୍ରିକୂଟ ପର୍ବତରେ ଏକ ସୁନ୍ଦର ପୁଷ୍କରିଣୀ ଅଛି । ବାମନ ପୁରାଣରେ ମଧ୍ୟ ଏହି ସରୋବରର ସୁନ୍ଦର ଉପସ୍ଥାପନା କରାଯାଇଛି ।
“ସେ ଗିରି ପୃଷ୍ଠରେ ଅଛି ଏକ ସରୋବର,
ଅତି ସୁନିର୍ମଳ ଆଉ ସୁଶୀତଳ ନୀର,
କାଞ୍ଚନ ପଙ୍କଜ ତହିଁ ଫୁଟିଛି ବହୁତ,
କାରଣ୍ଡବ ରାଜହଂସ ହୋଇଛି ମଣ୍ଡିତ।”
ପର୍ବତ ଶିଖରରେ ଏଭଳି ସୁନ୍ଦର ସରୋବର ଓ ତା ମଧ୍ୟରେ ଏକ ପରମ ବିକ୍ରମୀ କୁମ୍ଭୀର ବାସ କରିବା ଯେତିକି ବିସ୍ମୟ କର ସେତିକି ଅବିଶ୍ୱାସନୀୟ। ସେଥିପାଇଁ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱରେ ଏହାର ଆଲୋଚନା ଅଧିକ ପ୍ରlଣବନ୍ତ ଓ ତତ୍ତ୍ୱ ପୂର୍ଣ୍ଣ ଲାଗେ। ଅବଶ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣ ରକ୍ଷଣ ବା ଅନାଥର ନାଥ ସାମ୍ବିଳିତ ସମହିମା ପ୍ରକାଶ କରିବା ପାଇଁ ଭାଗବତ ବର୍ଣ୍ଣିତ ଗଜ ଉଦ୍ଧାରଣ ପ୍ରସଙ୍ଗ ଅତ୍ୟନ୍ତ ମନୋରମ ଓ ମନୋରଞ୍ଜନ କାରକ। କିନ୍ତୁ କିଛି ପ୍ରସଙ୍ଗ ଅତ୍ୟନ୍ତ ଅବିଶ୍ୱସନୀୟ ଲାଗେ। ଯେପରି ଗଜ ଓ କୁମ୍ଭୀର ମଧ୍ୟରେ ଯୁଦ୍ଧର ଅବଧି ଏକ ସହସ୍ର ଦେବ ବର୍ଷ।
ବାମନ ପୁରାଣ କହେ :
“ଏମନ୍ତେ ତୁମୁଳ ଯୁଦ୍ଧ ହେଲା ପଦ୍ମ ବନେ,
ନଜାଣନ୍ତି ଦିନରାତି ସେହି ବେନି ଜନେ
ଦେବ ବର୍ଷେ ବହିଗଲା ସହସ୍ର ବରଷ
ଦାରୁଣପଥୁ ବାରୁଣ ପାଶ ପାତି ଗ୍ରାହ ଈଶ ।”
ଏହି ଆଲୋଚନା ଓ ତାତ୍ତ୍ୱିକ ବିଶ୍ଳେଷଣ ଜାରିରଖିବା। କିନ୍ତୁ ଏବେ କରିବା ସେହି ଅନାଥର ନାଥ ଜଗନ୍ନାଥଙ୍କ ଆରାଧନା ।
“ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ
ନମସ୍ତେ ପ୍ରଭୁ ବାସୁଦେବ, ଭକତ ଜନ ଙ୍କ ବାନ୍ଧବ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.