Latest Odisha News

ଛତିଶଗଡରେ ମୋରମ ଖଣିକୁ ଖସିଲା ବସ୍; ୧୨ ମୃତ, ୨୦ରୁ ଅଧିକ ଗୁରୁତର

ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ଗତ ରାତିରେ ଭାରସାମ୍ୟ ହରାଇ ଏକ ବସ୍‌ ୪୦ ଫୁଟ୍ ତଳ ମୋରମ ଖଣିକୁ ଖସି ପଡ଼ିଛି । ଏଥିରେ ୧୨ ଜଣଙ୍କ ର ମୃତ୍ୟୁ ହୋଇଥିବାବେଳେ, ୨୦ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଲାଲ୍ ମୋରମ ଖଣିକୁ ଖସି ପଡ଼ିଥିଲା । ଉକ୍ତ ବସରେ ମୋଟ ୩୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ପ୍ରଥମେ ସ୍ଥାନୀୟ ଲୋକେ ଆସି ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଘଟଣା ପରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ରାୟପୁର ଏମ୍ସ ଯାଇ ଆହତ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା କହିଛନ୍ତି ।

ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ ଦୁର୍ଗରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶିଆଲ ମିଡିଆ ‘ଏକ୍ସ’ ରେ ଲେଖିଛନ୍ତି ଯେ, ଛତିଶଗଡ଼ର ଦୁର୍ଗରେ ଘଟିଥିବା ବସ୍ ଦୁର୍ଘଟଣାରେ ସେ ମର୍ମାହତ । ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.