Latest Odisha News

ଶିବସେନାରେ ବିଦ୍ରୋହ କରି ଏମଭିଏ ସରକାର ଭାଙ୍ଗି ପ୍ରତିଶୋଧ ନେଇଛି: ଫଡ଼ନାଭିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବଡ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାମା ଟିଭିକୁ ସାକ୍ଷାତକାର ଦେଇ ସ୍ବୀକାର କରିଛନ୍ତି ଯେ, ଜୁନ ମାସରେ ଶିବସେନାରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାପଛରେ ସେ ହିଁ ଥିଲେ। ଏପରି କରି ସେ ପ୍ରତିଶୋଧ ନେଇଛନ୍ତି ବୋଲି କହିଛନ୍ତି।

ବିଧାନସଭା ନିର୍ବାଚନରେ ବିଜେପି ସହିତ ଏକାଠି ହୋଇ ନିର୍ବାଚନ ଲଢିଥିଲା ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା। ହେଲେ ନିର୍ବାଚନ ଫଳାଫଳ ପରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଡିଲ୍ କରିବା ଆରମ୍ଭ କରିଥିଲା। ଶେଷରେ ବିଜେପିକୁ ଧୋକା ଦେଇ କଂଗ୍ରେସ ଏବଂ ଏନସିପି ସହିତ ମେଣ୍ଟ ଗଢି ମହାବିକାଶ ଅଘାଡ଼ି ସରକାର ଗଢିଥିଲା। ରାଜନୀତିରେ ଭଲ ରହିବା ଠିକ୍ କିନ୍ତୁ ଯିଏ ଧୋକା ଦେଇଛି ତାର ପ୍ରତିଶୋଧ ନେବା ଜରୁରୀ ନେହେଲେ ରାଜନୀତିରେ ତିଷ୍ଠିବା ସମ୍ଭବ ନୁହେଁ ବୋଲି ଫଡନାଭିସ କହିଛନ୍ତି।

ମରାଠୀ ନ୍ୟୁଜ୍ ଚ୍ୟାନେଲ ‘ସାମ ଟିଭି’କୁ ଦେଇଥିବା ଦୁଇ ଦିନ ତଳେ ଦେଇଥିବା ସାକ୍ଷାତକାରରେ ଫଡନାଭିସ କହିଛନ୍ତି, ‘ଯଦି କେହି ମୋ ସହ ବିଶ୍ୱାସଘାତକତା କରେ, ତା’ହେଲେ ମୁଁ ଏହାର ପ୍ରତିଶୋଧ ନେବି। ହଁ, ମୁଁ ପ୍ରତିଶୋଧ ନେଇଛି’।

ସେ କହିଛନ୍ତି, ବିଧାନସଭା ନିର୍ବାଚନ ଫାଳଫଳ ପରେ ଉଦ୍ଧବଙ୍କ ଶିବସେନା ଯାହା କରିଥିଲା ତାହା ପିଠିରେ ଛୁରା ମାଡ଼ କରିବା ସହିତ ସମାନ। ବିଜେପି ସହିତ ଏକାଠି ହୋଇ ନିର୍ବାଚନ ଲଢିଥିଲେ। ତେଣୁ ଶିବସେନା ଯେଉଁ କେତୋଟି ଆସନ ଜିତିଛି ତାହା ବିଜେପି ପାଇଁ। ଯଦି କେହି ଆମର ଭଲ ପାଇବାର ଫାଇଦା ଉଠାଇ ଆମ ସହ ବିଶ୍ୱାସଘାତକତା କରୁଛନ୍ତି ତେବେ ଏଭଳି ଲୋକଙ୍କୁ ସେମାନଙ୍କର ଔକାତ ଦେଖାଇବା ଉଚିତ ବୋଲି ଭାବେ। ଯାହା ମୁଁ କରିଛି। ଆଉ ଏଥିପାଇଁ ନିଜକୁ ଗର୍ବିତ ଅନୁଭବ କରୁଛି। ମୋ ସହ ବିଶ୍ୱାସଘାତକତା କଲେ ପ୍ରତିଶୋଧ ନେବି।

ଉଲ୍ଲେଖଯୋଗ୍ୟ, ଶିବସେନାରେ ଏକନାଥ ସିନ୍ଧେ ବିଦ୍ରୋହ କରିବା ପରେ ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଇଛି। ଏହାପରେ ଏକନାଥ ସିନ୍ଧେ ବିଜେପି ସହିତ ମିଶି ସରକାର ଗଢିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

Leave A Reply

Your email address will not be published.