Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ରେସରେ ଫଡନାଭିସ୍ ପସନ୍ଦ, ନା ନୂଆ ଚେହେରା ଦେବ ବିଜେପି?

ନୂଆଦିଲ୍ଲୀ: କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଜନାଦେଶର ସପ୍ତାହ ପରେ ବି ଏହାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ବିଜେପି ନେତୃତ୍ବରେ ମହାୟୁତି ମେଣ୍ଟ ବିଜୟ ହାସଲ କଲା ପରେ ମହାରାଷ୍ଟ୍ର ରାଜନୀତିରେ ଏବେ ଅଧିକ ଉଷ୍ମତା ଦେଖାଦେଇଛି । ଆସନ୍ତା ୫ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ହେଲେ ମୁଖ୍ୟମନ୍ତ୍ରୀ କିଏ ତାକୁ ନେଇ ଏବେ ବି ଟଣାଓଟରା ଲାଗିରହିଛି ।

ଗୋଟେ ପଟେ ତ ଦେଖିବାକୁ ଗଲେ ପୂର୍ବରୁ ଏନସିପି ମୁଖ୍ୟ ଅଜିତ୍ ପାଓ୍ବାର ଏହି ରେସରୁ ନିଜ ଆଡୁ ବାହାରି ଯାଇଥିଲେ । ଆଉ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ ପାଇଁ ଲାଳସା ନାହିଁ ବୋଲି ଖୋଲା ଖୋଲି କହିଥିଲେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା, ଯେ ସଂଖ୍ୟା ଗରିଷ୍ଠତା ଅନୁଯାୟୀ ବିଜେପି ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ । ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସର ୩ ପ୍ରମୁଖ ପ୍ରାର୍ଥୀଙ୍କ ସହ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ରୁଦ୍ଧଦ୍ବାର ବୈଠକ ସଫଳ ହୋଇନଥିବା ପରେ ଏବେ ଯାଏଁ ଏକନାଥ ସିନ୍ଦେ ଏବଂ ବିଜେପି ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ଯଦିଓ ବୈଠକ ପରେ ଏକନାଥ ସିନ୍ଦେ କହିଥିଲେ କି ଯେ, ମୁଖ୍ୟମନ୍ତ୍ରୀ ପଦ ନେଇ ମୋଦି ଓ ଶାହ ଯାହା ନିଷ୍ପତ୍ତି ନେବେ , ସେଥିରେ ସେ ରାଜି । ତଥାପି  ଏବେ ବି କାଳେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଭିତିରିଆ ବିଜେପି ଉପରେ ଚାପ ପକାଉଛି ଶିବସେନା ।  ଏହାକୁ ନେଇ ମୁମ୍ବାଇରେ ବୈଠକ ହେବାର ଥିଲା । କିନ୍ତୁ ଅଚାନକ ଏକନାଥ ସିନ୍ଦେ ତାଙ୍କ ଗାଁକୁ ପଳାଇବା ଆଉ ଏବେ ସିନ୍ଦେ ଅସୁସ୍ଥ ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ନିଜ ପୈତୃକ ଗାଁ ଅଛନ୍ତି । ଏଭଳି ସ୍ଥଳରେ ବିଜେପିର ଶପଥ ଦିନ ଘୋଷଣା ସିନ୍ଦେଙ୍କ ପାଇଁ ଏକ ବଡ ସଙ୍କେତ ନେଇ ଚର୍ଚ୍ଚା ।

ଅନ୍ୟପକ୍ଷରେ ଏନସିପି ନେତା ଅଜିତ୍ ପାଓ୍ବାର ଏହା ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ, ଆଉ ମହାୟୁତି ମେଣ୍ଟରୁ ଦୁଇ ଉପମୁଖ୍ୟମନ୍ତ୍ରୀ । ବିଜେପି ସିନ୍ଦେଙ୍କୁ କଣଠେସା କରି ନିଜେ ମୁଖ୍ୟମନ୍ତ୍ରୀ ଦେବା ପାଇଁ ଏକପ୍ରକାର ନିଷ୍ପତ୍ତି ନେଇ ସାରିଥିବା ଦାବି ହୋଇଛି । ଯେହେତୁ ଶିବସେନାର ଆଭ୍ୟନ୍ତରୀଣ ଗତିଶୀଳତା ନେଇ କିଛି ସ୍ପଷ୍ଟତା ମିଳୁନି ତେଣୁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଖୋଜିବାରେ ବିଜେପି ପ୍ରମୁଖ ଖେଳାଳି ଭାବରେ ବାଜି ହାତକୁ ନେଇଥିବା ଜଣାପଡିଛି । ଅଜିତଙ୍କ ଏପରି ଦାବି ଏବେ ଫଡନାଭିସ୍ ହିଁ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଥିବା ଚର୍ଚ୍ଚାକୁ ଇନ୍ଧନ ଦେଇଛି ।

ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ପ୍ରତ୍ୟାହାର ସତ୍ତ୍ବେ ଏବେ ବି ବିଜେପି ସରକାର ଗଠନ ପ୍ରକ୍ରିୟା ଦ୍ବନ୍ଦ୍ବରେ ରହିଛି । ଏଭଳି ସ୍ଥଳରେ ସିନ୍ଦେଙ୍କ ମନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ପ୍ରଥମ ପସନ୍ଦ ଫଡନାଭିସ୍ ହୋଇଥିଲେ ମଧ୍ୟ ଆଉ ଜଣେ ନୂଆ ଚେହେରା କାର୍ଡ ଖେଳିପାରେ ବିଜେପି । ଏମିତିବି ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଇଁ ବିଜେପି ସଂପୂର୍ଣ୍ଣ ନୂଆ ଚେହେରା ପ୍ରସ୍ତାବ ଦେଇପାରେ । ଯାହା ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ମଧ୍ୟ ଆପଣାଇସାରିଛି ବିଜେପି । ଚର୍ଚ୍ଚିତ ଚେହେରା ଉର୍ଦ୍ଧ୍ବକୁ ଯାଇ ଜାତିଭିତ୍ତିକ ମାଷ୍ଟର କାର୍ଡ ବ୍ୟବହାର କରିଛି ।

Leave A Reply

Your email address will not be published.