Latest Odisha News

ଫଡନାଭିସ ହେବେ ବିଜେପି ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ହେଭିୱେଟ୍ ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିବ କି ଗୁରୁଦାୟିତ୍ୱ ? ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଫଡନାଭିସଙ୍କୁ ଦିଆଯିବ କି ଦାୟିତ୍ୱ ? ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେବାରେ ଲାଗିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଉ ଦୁଇମାସ ଥିବା ବେଳେ ମହାରାଷ୍ଟ୍ରର ପୂର୍ବତନ ସିଏମ ଓ ବର୍ତ୍ତମାନର ଡେପୁଟି ସିଏମଙ୍କ ସମ୍ଭାବ୍ୟ ଭୂମିକା ନେଇ ଜୋର ଧରିଛି ଚର୍ଚ୍ଚା ।

କିଛି ଦିନ ତଳେ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସପରିବାର ଭେଟିଥିଲେ । ପରେ ନାଗପୁରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ଆରଏସଏସ ନେତୃତ୍ୱଙ୍କୁ ସାକ୍ଷାତ କରିଥିଲେ ଫଡନାଭିସ । ବିଜେପି ଜାତୀୟ ଅଧ୍ୟକ୍ଷ ପାଇଁ ଫଡନାଭିସଙ୍କ ସମେତ ମହାରାଷ୍ଟ୍ରର ଆଉ ଜଣେ ନେତା ବିନୋଦ ତାବଡେ ଓ ସୁନୀଲ ବଂଶଲଙ୍କ ନାଁ ଚର୍ଚ୍ଚା ହେଉଛି ।

ମହାରାଷ୍ଟ୍ରରେ ୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ବର୍ତ୍ତମାନ ଉପ ମୁଖ୍ୟମନ୍ତ୍ରୀ । ଆଗକୁ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଫଡନାଭିସଙ୍କୁ ରାଜ୍ୟ ରାଜନୀତିରୁ ବିଜେପି କଣ ହଟାଇପାରିବ ବୋଲି ପ୍ରଶ୍ନ ଉଠିଛି । ଯଦି ଫଡନାଭିସଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ଦିଆଯାଏ, ତାହା ହେଲେ ମହାରାଷ୍ଟ୍ରରେ କାହା ନେତୃତ୍ୱରେ ବିଜେପି ନିର୍ବାଚନ ଲଢିବ ବୋଲି ମଧ୍ୟ ପ୍ରଶ୍ନ ହେଉଛି ।

ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ରାଜ୍ୟରେ ବିଜେପିର ବଡ ଚେହେରା । ବିଧାନସଭା ନିର୍ବାଚନ ପୂର୍ବର ତାଙ୍କୁ ରାଜ୍ୟ ରାଜନୀତିରୁ ହଟାଇବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଚାହିଁବେ ନାହିଁ ବୋଲି କିଛି ରାଜନୀତି ବିଶେଷଜ୍ଞ କହିଛନ୍ତି । କିନ୍ତୁ ବିଜେପି ବାବଦରେ କିଛି ବି ଅନୁମାନ କରିହେବ ନାହିଁ ବୋଲି ଆଉ କିଛି କହିଛନ୍ତି ।

ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ଥିଲା ନିରାଶାଜନକ । ଏବେ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ତେଣୁ ଫଡନାଭିସଙ୍କୁ ବିଜେପି ହାଇକମାଣ୍ଡ ଉପେକ୍ଷା କରିପାରିବେ ନାହିଁ । ବିଧାନସଭା ନିର୍ବାଚନ ଶେଷ ଯାଏଁ ଫଡନାଭିସଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ମିଳିନପାରେ ।

ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବୱାନକୁଲେ ଫଡନାଭିସଙ୍କ ଭବିଷ୍ୟତ ଭୂମିକା ନେଇ ସତର୍କତା ସହ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେ ଫଡନାଭିସ ହିଁ ଆମର ନେତା । ଆମେ ତାଙ୍କୁ ଏଠାରେ ଚାହୁଁଛୁ । କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ହିଁ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖିଆ ।

ରାଜ୍ୟ ବିଜେପିରେ ଦେବେନ୍ଦ୍ରଙ୍କ ସମାଲୋଚକମାନେ ବି କମ୍ ନାହାନ୍ତି । ମରାଠ କୋଟା ଭଳି ବିଭିନ୍ନ ପ୍ରସଙ୍ଗରେ ନିଜ ଦଳର ହିଁ କିଛି ନେଚା  ଫଡନାଭିସଙ୍କୁ ଟାର୍ଗେଟ କରୁଛନ୍ତି । ଲୋକସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଫଡନାଭିସଙ୍କ ଖଟାମିଟା ସଂପର୍କ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେପିର ବିଜୟରେ ଦେବେନ୍ଦ୍ର ଫଡନାଭିସଙ୍କ ଥିଲା ମୁଖ୍ୟ ଭୂମିକା । ତାଙ୍କ ନେତୃୃତ୍ୱରେ ବିଜେପି ୨୮୮ ଆସନରୁ ୧୨୨ ଆସନ ଜିତିଥିଲା , ଯାହା କି ବିଜେପିର ସର୍ବାଧିକ ଟାଲି । ୫ ବର୍ଷ ପରେ ଫଡନାଭିସଙ୍କ ନେତତ୍ୱରେ ବିଜେପି ସବୁଠୁ ବଡ ଦଳ ଭାବେ ୧୦୫ ଆସନ ଜିତିଥିଲା ।

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସଙ୍କୁ ବିଜେପିର ବେଲୱେଦର ମ୍ୟାନ କୁହାଯାଏ । ତେଣୁ ଫଡନାଭିସଙ୍କ ବାବଦରେ ବିଜେପି କୌଣସି ନିଷ୍ପତ୍ତି ଭାବିଚିନ୍ତି ନେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

 

 

 

Comments are closed.