ବାଙ୍ଗାଲୋର : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ମଜାଳିଆ ଅନ୍ଦାଜରେ କହିଛନ୍ତି ଯେ ବିରାଟ କୋହଲିଙ୍କ ସହ ବନ୍ଧୁତା ତାଙ୍କ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି । ଏକ ସାକ୍ଷାତକାରରେ ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍ ଖୁଲାସା କରିଛନ୍ତି ଯେ କୋହଲି ତାଙ୍କୁ ଦାମୀ ଓ ଲଗ୍ଜରୀ ଘଣ୍ଟାର ଦୁନିଆ ସହ ପରିଚିତ କରାଇଥିଲେ ଏବଂ ଏପରି ସବୁ ଘଣ୍ଟା କିଣିବାକୁ ପ୍ରବର୍ତ୍ତାଇଥିଲେ, ଯାହା ବିଷୟରେ ସେ କେବେ ଭାବି ମଧ୍ୟ ନଥିଲେ । ଡୁ ପ୍ଲେସିସ୍ କହିଛନ୍ତି, ମୁଁ ତାଙ୍କୁ ଏହା ସର୍ବସାଧାରଣରେ ମଧ୍ୟ କହିଛି ଯେ ମୋ ଜୀବନର ସବୁଠାରୁ ମହଙ୍ଗା ସମ୍ପର୍କ ତାଙ୍କ ସହ ରହିଛି । ସେ ମୋତେ ଏପରି ଘଣ୍ଟା କିଣାଇଛନ୍ତି ଯାହା ମୁଁ କେବେ ବି କିଣିବା ଉଚିତ ନଥିଲା । ଗତ ତିନି ବର୍ଷ ମଧ୍ୟରେ ମୁଁ ଜଣେ ବଡ଼ ୱାଚ୍ ଲଭର୍ (ଘଣ୍ଟା ପ୍ରେମୀ) ପାଲଟି ଯାଇଛି । ଏବେ ସମସ୍ତେ ମୋତେ ପଚାରୁଛନ୍ତି ଯେ ଗୋଟିଏ ଘଣ୍ଟା ପଛରେ ତୁମେ ଏତେ ଟଙ୍କା କିପରି ଖର୍ଚ୍ଚ କରିପାରୁଛ ?
୨୦୨୨ ରୁ ୨୦୨୪ ପର୍ୟ୍ୟନ୍ତ ଡୁ ପ୍ଲେସିସ୍ ବାଙ୍ଗାଲୋରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ବିରାଟ କୋହଲିଙ୍କ ଭଳି ଲୋକପ୍ରିୟ ଖେଳାଳିଙ୍କ ପରେ ଦଳର କମାଣ ସମ୍ଭାଳିବା ତାଙ୍କ ପାଇଁ ଆଦୌ ସହଜ ନଥିଲା । ସେ ମନେ ପକାଇ କହିଛନ୍ତି ଯେ ଦଳ ଗୋଟିଏ ମ୍ୟାଚ୍ ହାରିଗଲେ ମଧ୍ୟ ସମଗ୍ର ବେଙ୍ଗାଲୁରୁ ଏବଂ ଦେଶର ପ୍ରଶଂସକମାନେ ବିରାଟ କୋହଲିଙ୍କୁ ପୁଣିଥରେ ଅଧିନାୟକ କରିବାକୁ ଦାବି କରୁଥିଲେ । ତେବେ ଏହି କଠିନ ପରିସ୍ଥିତିରେ କୋହଲି ତାଙ୍କୁ ଡ୍ରେସିଂ ରୁମ୍ ଏବଂ ପଡ଼ିଆ ଭିତରେ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଡୁ ପ୍ଲେସିସ୍ଙ୍କ କହିବା ଅନୁଯାୟୀ, ଯଦି କୋହଲିଙ୍କ ଏହି ଅତୁଟ ସମର୍ଥନ ମିଳିନଥାନ୍ତା, ତେବେ ସେହି ତିନି ବର୍ଷର ଅଧିନାୟକତ୍ୱ ଯାତ୍ରା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାନ୍ତା ।
