ସିଡନୀ: ସାମୁଦ୍ରିକ ତଟରେ ସିଲ୍ ମାଛଙ୍କୁ ବିଶ୍ରାମ ନେଉଥିବା ବା ପାଣିରେ ପହଁରୁଥିବା ଦେଖିବା ସାଧାରଣ କଥା । କିନ୍ତୁ ଅଷ୍ଟ୍ରେଲିଆର ୧,୦୦୦ କେଜି (୧ ଟନ୍) ଓଜନର ସେଲିବ୍ରିଟି ସିଲ ନୀଲର ଅନ୍ଦାଜ ଏବଂ ହାବଭାବ ସମ୍ପୂର୍ଣ୍ଣ ଅଲଗା । ନିଜର ଏହି ବିଶେଷ ପ୍ରକୃତି ପାଇଁ ସେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ବିଶାଳକାୟ ସାମୁଦ୍ରିକ ଜୀବଟି କେତେବେଳେ ଜନବହୁଳ ଅଞ୍ଚଳରେ ତ କେତେବେଳେ ଠିଆ ହୋଇଥିବା ଗାଡ଼ି କିମ୍ବା ରାସ୍ତାକଡ଼ର ଟ୍ରାଫିକ୍ କୋନ୍ ପାଖରେ ଆରାମ କରୁଥିବାର ନଜର ଆସେ । ତେବେ, ତାର ଏହି ଲୋକପ୍ରିୟତା ଏବେ ତା ପାଇଁ ସମସ୍ୟା ସୃଷ୍ଟି କରୁଛି । ନୀଲର ବଢ଼ୁଥିବା ଲୋକପ୍ରିୟତା ଏବଂ ତାକୁ ଦେଖିବାକୁ ପହଞ୍ଚୁଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ତସ୍ମାନିଆ ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି ।
ଲୋକମାନେ ଏହି ସିଲଠାରୁ ୩୦ ମିଟର ଦୂରତା ବଜାୟ ରଖିବେ । ନୀଲର ପାଖାପାଖି ଗାଡ଼ି ପାର୍କିଂ କରିବା, ପାଳିତ କୁକୁରଙ୍କୁ ଛାଡ଼ିବା କିମ୍ବା ନୌକା ଓ ଡ୍ରୋନ୍ ଚଳାଚଳ ଉପରେ କଡ଼ା କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ନିୟମକୁ ଅମାନ୍ୟ କଲେ ଦୋଷୀ ବ୍ୟକ୍ତିଙ୍କୁ ଆଇନଗତ କାର୍ୟ୍ୟାନୁଷ୍ଠାନ ସହ ଜରିମାନା ଏବଂ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ । ଅକ୍ଟୋବର ୨୦୨୦ରେ ତସ୍ମାନିଆର ଟାସମେନ୍ ପେନିନସୁଲା ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ନୀଲର ସୁରକ୍ଷା ପାଇଁ ଅନଲାଇନ୍ ମାଧ୍ୟମରେ ଏକ ବଡ଼ଧରଣର ଅଭିଯାନ ଆରମ୍ଭ ହୋଇଥିଲା । ୧.୧୦ ଲକ୍ଷରୁ ଅଧିକ ଲୋକ ଏକ ପିଟିସନରେ ସ୍ବାକ୍ଷର କରି ତା\’ ପାଇଁ କଡ଼ା ସୁରକ୍ଷା ନିୟମ ପ୍ରଣୟନ କରିବାକୁ ଦାବି କରିଥିଲେ । ତସ୍ମାନିଆର ପ୍ରିମିୟର ଜେରେମୀ ରକ୍ଲିଫ୍ ମଧ୍ୟ କହିଛନ୍ତି ଯେ ନୀଲ ବେଶ୍ ଲୋକପ୍ରିୟ, କିନ୍ତୁ ତା\’ର ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ଉଭୟେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ସରକାର ଏବେ ‘ନୀଲ ଦ ସିଲ୍’ ନାମକୁ ମଧ୍ୟ ବ୍ୟବସାୟିକ ଦୁରୁପଯୋଗରୁ ରକ୍ଷା କରିବା ପାଇଁ ଟ୍ରେଡମାର୍କ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରଶାସନର ଏକମାତ୍ର ସନ୍ଦେଶ ହେଉଛି— ଯଦି ଆପଣ ନୀଲକୁ ଭଲ ପାଉଛନ୍ତି, ତେବେ ତାକୁ ଅସୁବିଧାରେ ପକାନ୍ତୁ ନାହିଁ ଏବଂ ୩୦ ମିଟର ଦୂରତାରୁ ତା’ର ମଜା ନିଅନ୍ତୁ ।
