Latest Odisha News

BREAKING NEWS

Puri Jagannth Temple: ସାବଧାନ, ଶ୍ରୀମନ୍ଦିରରେ ନକଲି ଗୁମାସ୍ତା

ପୁରୀ: ପୁରୀ ଶ୍ରୀମନ୍ଦିରରେ ପୁଣି ନକଲି ଗୁମାସ୍ତାଙ୍କ ପାଦୁର୍ଭାବ । ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବା କହି ଠକୁଛନ୍ତି ନକଲି ଗୁମାସ୍ତା । ଏପରିକି ମହାପ୍ରସାଦ କିଣିବା ଆଉ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଯାତ୍ରୀ ଗୁମାସ୍ତା ଥିବା ସେମାନେ କହୁଛନ୍ତି । ହେଲେ ଏହି ଯାତ୍ରୀ ଗୁମାସ୍ତାଙ୍କୁ ଶ୍ରୀମନ୍ଦିର ପକ୍ଷରୁ କୌଣସି ପରିଚୟ ପତ୍ର ଦିଆଯାଇନଥିବାରୁ ଏହାର ଫାଇଦା କିଛି ଅସାଧୁ ଲୋକ ନେଉଛନ୍ତି । ବାହାର ଭକ୍ତଙ୍କୁ ଦର୍ଶନ କରାଇବା ଆଳରେ ଟଙ୍କା ହରିଲୁଟ କରୁଛନ୍ତି । ଶ୍ରଦ୍ଧାଳୁଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ସହ ଅନେକ ସମୟରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିଛି ।

ଏମିତି ହେବା ଦ୍ୱାରା ଖରାପ ଅନୁଭୁତି ନେଇ ଶ୍ରଦ୍ଧାଳୁ ଫେରୁଛନ୍ତି । ୨ମାସ ଆଗରୁ ପୁରୀ ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୪ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରାଯାଇଥିଲା । ଏପରିକି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଦରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ଚେତାବନୀ ଦେଇଥିଲେ । ହେଲେ କେଇଟା ଦିନ ନପୁରୁଣୁ ପୁଣି କିଛି ଅସାଧୁ ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଅନେକ ନିଶାଖୋର ବ୍ୟକ୍ତି ଯାତ୍ରୀ ଗୁମାସ୍ତା କାର୍ଯ୍ୟ ଆଳରେ ଟଙ୍କା ଆଦାୟ କରୁଛନ୍ତି । ଟଙ୍କା ନମିଳିଲେ ମନଇଛା ଗାଳି କରୁଥିବା ମଧ୍ୟ କୁହାଯାଇଛି ।

ଶ୍ରୀମନ୍ଦିରରେ ଏଭିଳି କାମ ହେବା ସତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଚୁପ ବସିଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନକଲି ଯାତ୍ରୀ ଗୁମାସ୍ତାକୁ ରୋକିବାକୁ ହେଲେ ସ୍ୱତନ୍ତ୍ର ସ୍କାର୍ଡ ଗଠନ ହେବାର ଆବଶ୍ୟକତା ରହିଛି । ସେହିପରି ମନ୍ଦିର କାମ କରୁଥିବା ଗୁମାସ୍ତାଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ରହିବା ଦରକାର । ସେପଟେ ନକଲି ଯାତ୍ରୀ ଗୁମାସ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେତେବେଳେ ଅଭିଯୋଗ ଆସିଛି ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ପୁରୀ ଏସପି କହିଛନ୍ତି ।

ସେହିପରି ଏହି ଅଭିଯୋଗ ବାବଦରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବ । ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିରରେ ଏଭଳି ଘଟଣା ଘଟିବା ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ବଦନାମ ହେଉଛନ୍ତି । ତେଣୁ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଯାତ୍ରୀ ସେବାୟତଙ୍କ ପାଇଁ ନିୟମ ରହିବା ନିହାତି ଦରକାର ।

Comments are closed.